ଖୋର୍ଦ୍ଧା, 7 ଅକ୍ଟୋବର (ହି.ସ.)ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ଦୋକାନରୁ ଗତ ଅଗଷ୍ଟ ୨୪ ତାରିଖ ଦିନ ଦ୍ୱିପହରେ ହୋଇଥିବା ବଡ଼ ଲୁଟ୍ ଘଟଣାରେ ପୋଲିସ ଆଉ ଦୁଇ ଜଣକୁ ଗିରଫ କରିଛି। ତେବେ ଏମାନଙ୍କ ଠାରୁ ପୋଲିସ ୧୨୦ଗ୍ରାମ ସୁନା,୯୪୬ଗ୍ରାମ ରୁପା, ନଗଦ ଅଢେଇ ଲକ୍ଷ ଟଙ୍କା, ଗୋଟିଏ ପଲସର୍ ସମେତ ବନ୍ଧୁକ ସହ ୪ରାଉଣ୍ଡ ଗୁଳି ଜବତ କରିଛି।ତେବେ ଏହି ଲୁଟ ଘଟଣାରେ ପୋଲିସ ୬ଜଣକୁ ଗିରଫ କରିଥିଲା। ଗିରଫ ସଂଖ୍ୟା ଏବେ ୮ରେ ପହଞ୍ଚିଛି।ଆହୁରି ଦୁଇ ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ପ୍ରକାଶ ଥାଉକି ଗତ ୨୪ତାରିଖରେ ୧୦ଜଣ ଡକାୟତ ମୁଖା, ହେଲମେଟ ପିନ୍ଧି ବନ୍ଧୁକ, ବମ୍ ଫୁଟାଇ ରୂପା, ଅଳଙ୍କାର ସହ ନଗଦ ଟଙ୍କା ଲୁଟ କରି ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ।
ହେଲେ ଲୁଟ୍ ସମୟର ଦୃଶ୍ୟ ସିସିଟିଭି ଫୁଟେଜରେ ମିଳିଥିଲା। ଅଳଙ୍କାର ପ୍ରତିଷ୍ଠାନର ମାଲିକ ଅରୁନ୍ଧତୀ ସାହୁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସ୍ପି ବିବେକାନନ୍ଦ ଶର୍ମାଙ୍କ ନିର୍ଦ୍ଧେଶ କ୍ରମେ ୩ଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଥିଲା।
ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୯୦୦ଗ୍ରାମ ସୁନା, ୨ କିଲୋ ୩୬୩ ଗ୍ରାମ ରୂପା ଏବଂ ନଗଦ ୯ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ମାରଣାସ୍ତ୍ର ଜବତ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ