ଧର୍ମଶାଳା, ୭ ଅକ୍ଟୋବର (ହି.ସ.) - ଓଡିଆଙ୍କ ବାର ମାସରେ ତେର ପରବ । ପାର୍ବଣରେ ସବୁଠି ଉତ୍ସବ ମୁଖର । ଗାଁଠୁଁ ସହର ସବୁଠି ଚଳଚଂଚଳ । ଆଧ୍ୟାତ୍ମିକ ପରିବେଶରେ ଗାଁ ଦାଣ୍ଡ ପ୍ରକମ୍ପିତ । ଏହି ତେର ପରବ ମଧ୍ୟରୁ ମହିଳାମାନଙ୍କ ମଙ୍ଗଳା ଓଷା ନିଆରା । ମାନସିକଧାରୀ ମହିଳାମାନେ ମାସ ତମାମ ଏହି ଓଷା ପାଳନ କରିଥାନ୍ତି । ତେବେ ଆଜି ହେଉଛି ମା’ଙ୍କ ଶେଷ ଓଷା । ଏନେଇ ମଙ୍ଗଳା ମନ୍ଦିର ଚଳଚଂଚଳ ହୋଇ ଉଠିଛି । ଯାଜପୁର ଜିଲାର ଅନ୍ୟତମ ପ୍ରସିଦ୍ଧ ମନ୍ଦିର ମଧ୍ୟରେ ବରୀ ନିର୍ବାଚନ ମଣ୍ଡଳୀ ଗୋଳକୁଣ୍ଡ ମା’ ମଙ୍ଗଳା ମନ୍ଦିର ଅନ୍ୟତମ । ଏଠାରେ କାହିଁ କେଉଁ କାଳରୁ ମା’ ପୂଜା ପାଇ ଆସୁଛନ୍ତି । ଏଠାରେ ମା’ ପଶ୍ଚିମ ମୁଖୀ ଭାବେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମା’ ହେଉଛନ୍ତି ପ୍ରତ୍ୟକ୍ଷ ଦେବୀ । ଗୁହାରୀ କଲେ ତୁରନ୍ତ ମନସ୍କାମନା ପୁରଣ ହୁଏ ବୋଲି ଶ୍ରଦ୍ଧାଳୁଙ୍କୁ ପ୍ରବଳ ବିଶ୍ୱାସ ରହିଛି । ଆଶ୍ୱିନ ମାସରେ ମା ଗୋଳକୁଣ୍ଡ ମଙ୍ଗଳା ପୀଠ ମାସ ତମାମ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ପ୍ରଥମ ମଙ୍ଗଳବାର ଦିନ ଶତାଧିକ ମାନସିକଧାରୀ ମା’ଙ୍କ ନିକଟରେ ଗୁଆ ଓ ନଡିଆ ବସାଇ ମାନସିକ ରଖିଥାନ୍ତି । ଆଜି ହେଉଛି ଶେଷ ମଙ୍ଗଳବାର । ଯାହାକୁ ନେଇ ପୀଠରେ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସାମଗମ । ଆଜି ସକାଳୁ ସକାଳୁ ମା’ଙ୍କ ପହଡ ଖୋଲିବା ପରେ ବିଭିନ୍ନ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ଭୋଗ ପସରା ଧରି ପୂଜା କରି ମା’ଙ୍କୁ ଗୁହାରୀ କରିଥିଲେ । ମନ୍ଦିର ବେଢା ଧର୍ମୀୟ ପରିବେଶ । ଶ୍ରଦ୍ଧାଳୁଙ୍କ ହାତରେ ଭୋଗ ପସରା । ଦୀପ ଜାଳି ମା’ଙ୍କ ନିଜ ପରିବାର ପାଇଁ ଗୁହାରୀ କରି ଅନେକ ଆନନ୍ଦ ଲାଭ କରିଥାନ୍ତି । ଜିଲା ତଥା ଜିଲା ବାହାରୁ ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ଏହି ପୀଠକୁ । ଭକ୍ତମାନଙ୍କ ସାମଗମକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋଳକୁଣ୍ଡ ମା’ ମଙ୍ଗଳା ଜିଲାରେ ବେଶ ପରିଚିତ । ଏହି ପୀଠରେ ବିଭିନ୍ନ ପାର୍ବଣ ସମୟରେ ବିଭିନ୍ନ ପୂଜା କରାଯାଇଥାଏ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ