ଭୁବନେଶ୍ୱର, ୦୭ ଅକ୍ଟୋବର (ହି.ସ.) - ବିଜେପି ନେତା ତଥା ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାକୁ ବିରୋଧୀ ଦଳଳ ନେତା ନବୀନ ପଟ୍ଟନାୟକ ଜଘନ୍ୟ ବୋଲି କହିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ସାମାଜିକ ଗଣମାଧ୍ୟମରେ ନବୀନ ଲେଖିଛନ୍ତି ରାଜ୍ୟରେ ଉତ୍ସବର ପରିବେଶ ମଧ୍ୟରେ ଭୟର ବାତାବରଣ, ଲୋକେ ନିଜକୁ ଅସୁରକ୍ଷିତ ଭାବିବା ଆରମ୍ଭ କଲେଣି।
ନିଜ ଘର ସାମ୍ନାରେ ଠିଆ ହୋଇଥିବା ସମୟରେ ଗଞ୍ଜାମର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଯେପରି ଗୁଳି କରି ହତ୍ୟା କରାଗଲା ତାହା ଅତ୍ୟନ୍ତ ଜଘନ୍ୟ ଓ ଦୁଃଖଦାୟକ। ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏହି ଖବର ସାଧାରଣ ଲୋକଙ୍କୁ ଭୟଭୀତ କରିଦେଇଛି। ସେହିପରି ରାଉରକେଲାରେ ଦୁଷ୍କର୍ମ, କଣାସରେ ଲକ୍ଷ୍ମୀ ବସ ଭିତରେ ଘଟିଥିବା ଅଭାବନୀୟ କାଣ୍ଡ ସାଙ୍ଗକୁ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା ସହ ଭାଇଚାରାର ସହର କଟକରେ ସାମ୍ପ୍ରଦାୟିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ।
ପୋଲିସ ଏସଆଇ ନିଯୁକ୍ତିରେ ମହାଘୋଟାଲା ଆଶାୟୀ ଯୁବଗୋଷ୍ଠୀଙ୍କ ମନୋବଳ ଭାଙ୍ଗି ଦେଇଥିବା ବେଳେ ସରକାରୀ ନିଯୁକ୍ତିରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବାରେ ମଧ୍ୟ ରାଜ୍ୟର ବିଜେପି ସରକାର ଅସମର୍ଥ।
ଶାନ୍ତିପ୍ରିୟ ଓଡ଼ିଶାରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ମଜଭୁତ ରଖିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି; ଯାହା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛି। ଅପରାଧ ରୋକିବା ପାଇଁ ସରକାର କାହିଁକି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାନ୍ତି? ଲୋକଙ୍କ ସ୍ୱାର୍ଥ ପାଇଁ ସରକାର ତତ୍ପର ଓ ସଜାଗ ହେବା ଜରୁରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା