ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ର ୩୦ ତମ ବୋର୍ଡ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ) ର ୩୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନ
ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ର ୩୦ ତମ ବୋର୍ଡ ବୈଠକ ଅନୁଷ୍ଠିତ


ଭୁବନେଶ୍ୱର,୧୨ ନଭେମ୍ବର (ହି.ସ.) - ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ) ର ୩୦ତମ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦ(ବୋର୍ଡ ଅଫ୍ ଡାଇରେକ୍ଟର୍ସ) ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଊଷା ପାଢୀ, (ବିଏସସିଏଲ) ର ପରିଚାଳନା ନିର୍ଦ୍ଦେଶକ ଚଞ୍ଚଳ ରାଣା, ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଏସ୍‌. ଦେବଦତ୍ତ ସିଂହ, ମ୍ୟାନେଜିଂ ଡାଇରେକ୍ଟର “କ୍ରୁଟ୍‌” ସଞ୍ଜୟ କୁମାର ବିଶ୍ୱାଳ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ସ୍ମାର୍ଟ ସିଟି ପ୍ରମୁଖ ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯିବା ସହିତ ନାଗରିକ-କୈନ୍ଦ୍ରିକ ସହର ପରିଚାଳନା ଏବଂ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସୁଦୃଢ କରିବାକୁ କେତେକ ମୁଖ୍ୟ ପଦକ୍ଷେପକୁ ଅନୁମୋଦନ କରାଯାଇଛି ।

ପରିଷଦ ବୈଠକରେ ବିଏସସିଏଲ୍ ଦ୍ୱାରା 'ସହରସାଥୀ' ୨୪୍ଠ୭ କଲ୍ ସେଣ୍ଟର (ଟୋଲ୍ ଫ୍ରୀ ନମ୍ବର ୧୯୨୯) ର ସଫଳତା ଆରମ୍ଭ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା, ଯାହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ୩୧ ଅଗଷ୍ଟ ୨୦୨୫ ରେ ଶୁଭାରମ୍ଭ କରିଥିଲେ, ଏବଂ ଏହା ବର୍ତ୍ତମାନ ସମସ୍ତ ପୌରାଞ୍ଚଳକୁ ସେବା ଯୋଗାଉଛି ।

ବୈଠକରେ ବୈଷୟିକ ଜ୍ଞାନକୌଶଳ–ପରିଚାଳନାଭିତ୍ତିକ ପ୍ରମୁଖ ପଦକ୍ଷେପଗୁଡିକ ସମୀକ୍ଷା କରାଯାଇଥିଲା । ଯେଉଁଥିରେ ୩୦୦୦ କୃତ୍ତିମ ବୁଦ୍ଧିମତ୍ତା (ଏଆଇ) ସକ୍ଷମ ସିସିଟିଭି କ୍ୟାମେରା, ଆଡାପ୍ଟିଭ୍ ଟ୍ରାଫିକ ସିଗ୍ନାଲ ସିଷ୍ଟମ ଏବଂ ସହରବ୍ୟାପୀ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ସଂସ୍ଥାପନକୁ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ସହରର ସୁରକ୍ଷା, ମହିଳାଙ୍କ ସୁରକ୍ଷା, ଗତିବିଧି ଏବଂ ରିଆଲ୍‌-ଟାଇମ୍ ପର୍ଯ୍ୟବେକ୍ଷଣକୁ ସୁଦୃଢ କରିବ ।ଭବିଷ୍ୟତ କାର୍ଯ୍ୟ ପରିଚାଳନା ପାଇଁ ସ୍ଥାୟୀ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯିବା ପର୍ଯ୍ୟନ୍ତ ସ୍ମାର୍ଟ ସିଟି ସ୍ୱତନ୍ତ୍ର ସହର ଉନ୍ନୟନ ଯୋଜନା(ଏସପିଭି) ଚାଲୁ ରହିବା ସଂପର୍କରେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ମଧ୍ୟ ଭୁବନେଶ୍ୱର “ଜନପଥ”କୁ ନାଗରିକଙ୍କ ସୁବିଧା ପାଇଁ ଉନ୍ନତିକରଣ ନିମନ୍ତେ ଅନୁମୋଦନ କରାଯାଇଛି, ଯେଉଁଥିରେ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ବାଣୀବିହାର ପର୍ଯ୍ୟନ୍ତ ବାଉଁଶ ନିର୍ମିତ ବାଡ଼ ଘେରକୁ ଇସ୍ପାତ ନିର୍ମିତ ଗ୍ରିଲ୍ସରେ ପରିବର୍ତ୍ତନ କରାଯିବା ସହିତ ସେଥିରେ ସହର ପରିକଳ୍ପନା ଉପାଦାନଗୁଡ଼ିକୁ ସମ୍ମିଳିତ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ସ୍ମାର୍ଟ ସିଟି ମିଶନରେ ସୌର ଶକ୍ତି ବ୍ୟବସ୍ଥା ଉପଯୋଗ କରାଯିବା , ଛାତ ଉପରେ ବର୍ଷା ଜଳସଞ୍ଚୟ ଏବଂ ଶିଶୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ସାର୍ବଜନୀନ ସ୍ଥଳ(ପାର୍କ) ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି । ସେହିପରି ସୁବିଧାଜନକ ଭାବେ ସ୍ୱଚ୍ଛ ସାର୍ବଜନୀନ ଶୌଚାଳୟ ସୁନିଶ୍ଚିତ କରିବା, ସାର୍ବଜନୀନ ପାର୍କଗୁଡିକ ଭଲରୂପେ ରକ୍ଷଣାବେକ୍ଷଣ କରାଯିବା ପାଇଁ ପଦକ୍ଷେପଗୁଡିକୁ ସୁପାରିଶ କରାଯାଇଥିଲା ।

ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ, ବିଏସସିଏଲ୍ ର ଅଭିନବତ୍ୱ ଓ ଡିଜିଟାଲ୍ ପରିଚାଳନା ପ୍ରୟାସଙ୍କୁ ପ୍ରଶଂସା କରିଥିଲେ ଏବଂ ନାଗରିକ-ପ୍ରଥମ ସହରୀ ପରିଚାଳନା ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ସେ ଭୁବନେଶ୍ୱରକୁ ଏକ ସମାବେଶୀ, ଦୃଢ ଏବଂ ପ୍ରଯୁକ୍ତି-ଚାଳିତ ଆଦର୍ଶ ସହର ନିର୍ମାଣ କରିବାରେ ରାଜ୍ୟ ସରକାରଙ୍କର ରହିଥିବା ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande