
କେନ୍ଦ୍ରାପଡା, 12 ନଭେମ୍ବର (ହି.ସ.) କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି(କେସିସିଏଲ) ସହର ଶାଖା ପକ୍ଷରୁ କେନ୍ଦ୍ରାପଡ଼ା ପୌରାଞ୍ଚଳ ଅନ୍ତର୍ଗତ ଇଚ୍ଛାପୁରର କମାରଖଣ୍ଡି ଗ୍ରାମ ନିବାସୀ ସ୍ବର୍ଗତ ଶଙ୍କର୍ଷଣ ବେହେରାଙ୍କ ଏକମାତ୍ର ପୁତ୍ର କିଡ଼ନୀ ରୋଗରେ ପୀଡ଼ିତ ପ୍ରଦୀପ ବେହେରା(୩୫)ଙ୍କୁ ଅଧିକ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସୋସାଇଟିର ସଭାପତି ସମବାୟବିତ୍ତ ପ୍ରମୋଦ ପ୍ରମୋଦ କୁମାର ସାହୁ ପ୍ରଦୀପଙ୍କ ବାସଭବନରେ ପହଞ୍ଚି ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାସହ ସରକାରୀ ସ୍ତରରେ ପ୍ରଦୀପଙ୍କ ଚିକିତ୍ସା ପାଇଁ କିପରି ଅଧିକ ସହାୟତା ମିଳି ପାରିବ ସେ ନେଇ ଶ୍ରୀ ସାହୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଶ୍ରୀ ସାହୁ କହିଥିଲେ ସମଗ୍ର କେନ୍ଦ୍ରାପଡ଼ା ଜିଲାରେ ଭୁତଳ ଜଳ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ଏହାସହ ଭୁତଳ ଜଳ ପ୍ରଦୂଷିତ ହେଉଛି। ଏହି ଜଳକୁ ପାନୀୟ ଭାବେ ବ୍ୟବହାର କରୁଥିବାରୁ ଜିଲ୍ଲାରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ସରକାରୀ ସ୍ତରରେ ବିଶେଷଜ୍ଞ କମିଟି ଗଠନ କରାଯାଇ ଏହାର କାରଣ ଓ ନିରାକରଣ ପାଇଁ ପଦକ୍ଷେପ ନିଆଯିବା ଉଚିତ। ଫଳରେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ପାଇପାରିବେ ଓ କିଡ଼ନୀ ରୋଗରୁ ଦୂରେଇ ରହିପାରିବେ। ଏହି ଆର୍ଥିକ ସହାୟତା ପ୍ରଦାନ ବେଳେ ସମିତିର ସମ୍ପାଦକ ଶ୍ରୀ ଅରବିନ୍ଦ ସାହୁ, ସହର ଶାଖା ପରିଚାଳକ ଅଂଶୁମାନ ଚୌଧୁରୀ ଏବଂ ଦୈନିକ ଜମା ସଂଗ୍ରହକାରୀ ସର୍ବଶ୍ରୀ ପ୍ରଦୀପ ବେହେରା, ସନ୍ତୋଷ ସାହୁ, ଶ୍ରୀକାନ୍ତ ଦାଶ ଏବଂ ପ୍ରଶାନ୍ତ ରାଉତରାୟଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। କିଡ଼ନୀ ରୋଗୀ ପ୍ରଦୀପଙ୍କ ବିଧବା ମା ବାସନ୍ତୀ ବେହେରା (୭୦) ଙ୍କ ଛଡା ପତ୍ନୀ ମମତାମୟୀ ବେହେରା (୨୮) ଏବଂ ଦୁଇଟି ଛୋଟ ପୁଅ ରହିଛନ୍ତି। ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାରୁ ପରିବାରର ଗୁଜୁରାଣ କିପରି ମେଣ୍ଟିବ ସେ ନେଇ ପ୍ରଦୀପ ଚିନ୍ତାରେ। ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବାଯୋଗୁ ସ୍ୱାସ୍ଥ୍ୟ କାର୍ଡ ପାଣ୍ଠି ଶେଷ ହୋଇଯାଇଛି। ତାଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଥିବାରୁ ଅନ୍ତତଃ ଗୋଟିଏ କିଡ଼ନୀ ପ୍ରତିରୋପଣ ପାଇଁ ୧୦ ରୁ ୧୫ ଲକ୍ଷ ଟଙ୍କା ଆବଶ୍ୟକ। ପ୍ରଦୀପଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି। ଏ କ୍ଷେତ୍ରରେ ସାଂସଦ ବୈଜୟନ୍ତ ପଣ୍ଡା ଓ ସ୍ଥାନୀୟ ବିଧାୟକ ଗଣେଶ୍ୱର ବେହେରା ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ସ୍ଥାନୀୟ ଜନସାଧାରଣ ଅନୁରୋଧ କରିଛନ୍ତି। ଉଲ୍ଲେଖ ଥାଉକି କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ ସୋସାଇଟି ସଦା ସର୍ବଦା ବ୍ୟବସାୟ ଛଡା ସାମାଜିକ ଦିଗରେ କାର୍ୟ୍ୟ କରୁଛି। ଏହି ସମିତି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ବିପନ୍ନ ମାନଙ୍କୁ ରିଲିଫ ସହାୟତା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥାଏ। ସେହିଭଳି ଗରିବ ଓ ଅସହାୟ ରୋଗୀମାନଙ୍କୁ ଚିକିତ୍ସା ସହାୟତା ଦେବା ସଙ୍ଗେ ସଙ୍ଗେ ଜାତୀୟ ଓ ଅନ୍ତର୍ଜାତୀୟ ଓ ରାଜ୍ୟ ସ୍ତରରେ କୃତୀ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ପ୍ରୋତ୍ସାହନ ଦେଇଥାଏ।
---------------
ହିନ୍ଦୁସ୍ଥାନ ସମାଚାର / ରବି