
ଭଦ୍ରକ, ୧୬ ନଭେମ୍ବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଅଧିନ ସୋହଡ଼ା ପଂଚାୟତର ଗୌରାଙ୍ଗପୁର ସ୍ଥିତ ଶ୍ରୀ ଚୈତନ୍ୟ ଦେବଙ୍କ ନୂତନ ବିଗ୍ରହ ପ୍ରତିଷ୍ଠାକୁ ନେଇ ଆଜି ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ପୁରଧା ବରଦା ପ୍ରସାଦ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଶତାଧିକ ଅଂଚଳବାସୀ ଯୋଗଦେଇଲେ। ଏହି ପ୍ରାଚୀନ ମଠରେ ପ୍ରାୟ ୪୦୦ ବର୍ଷ ହେଲା ଚୈତନ୍ୟ ଦେବଙ୍କ ମୂର୍ତି ପୂଜା ଅର୍ଚ୍ଚନା ଚାଲିଆସୁଅଛି। କିନ୍ତୁ ଅଧିକ ବର୍ଷ ହେବାରୁ ପୁରୁଣା ବିଗ୍ରହ ନଷ୍ଟ ହୋଇଯାଇଥିବା ଦେଖି ଅଂଚଳବାସୀଙ୍କ ପକ୍ଷରୁ ନୂତନ ବିଗ୍ରହ ପ୍ରତିଷ୍ଠାର ସଂକଳ୍ପ ଗ୍ରହଣ କରାଯାଇଛି। ଏହି ପ୍ରତିଷ୍ଠା ଉତ୍ସବ ଆସନ୍ତା ଫେବୃଆରି ୨୫ ରୁ ୨୮ ତାରିଖ ମଧ୍ୟରେ ବିଭିନ୍ନ ଧାର୍ମିକ ସାଂସ୍କୃତିକ ସୂଚୀ ଅନୁଯାୟୀ ଭବ୍ୟ ରୂପେ ପାଳନ କରାଯିବ ବୋଲି ସୂଚନା ଦିଆଯାଇଛି। ପ୍ରତିଦିନ ୧୦ ହଜାର ଭକ୍ତଙ୍କ ସମାଗମ ହେବ ବୋଲି ପରିଚାଳନା ମଣ୍ଡଳୀ ଅନୁମାନ କରିଛି।୧୫୨୬ ମସିହାରେ ବଂଶୀଧର ଗୋସ୍ୱାମୀ ପ୍ରଥମେ ଏଠାରେ ମଠ ସ୍ଥାପନା କରିଥିଲେ। ପୁରୀ ଯାତ୍ରା ଦୁରାନ୍ତରେ ଶ୍ରୀ ଚୈତନ୍ୟ ଦେବ ଏହି ଗୌରାଙ୍ଗପୁର ମଠରେ ଏକ ଦିନ ବିଶ୍ରାମ କରିଥିଲେ। ସେଥିପାଇଁ ପରବର୍ତୀ କାଳରେ ଏହି ମଠ ‘ଚୈତନ୍ୟ ମଠ’ ନାମରେ ପରିଚିତ ହେଲା ଏବଂ ଗୌରାଙ୍ଗ ଦେବଙ୍କ ନାମରେ ଗ୍ରାମର ନାମ ‘ଗୌରାଙ୍ଗପୁର’ ହୋଇଥିଲା।ନୂତନ ବିଗ୍ରହ ନିର୍ମାଣ ପାଇଁ ଗତ ଜୁଲାଇ ମାସ ୧ ତାରିଖ ଖଡିପଦା ପଂଚାୟତର କୋରକଦା ଗ୍ରାମର କନକେଇ ରେ ଦିଗାମ୍ବର ସାମଲଙ୍କ ବାଡ଼ିରେ ଥିବା ପ୍ରାୟ ୨୦୦ ବର୍ଷ ପୁରୁଣା ନିମ୍ବ ଗଛକୁ ବଛାଯାଇ ପୂଜାର୍ଚ୍ଚନା ପରେ ଚ୍ଛେଦନ କରାଯାଇ ଦାରୁ ନିର୍ମାଣ ଲାଗି ପୁରୀକୁ ପଠାଯାଇଛି। ଏହି ବୈଠକରେ ମୁଖ୍ୟ ପୁରଧା ବରଦା ପ୍ରସାଦ ମହାପାତ୍ରଙ୍କ ସମେତ ନୃସିଂହ ଚରଣ ମହାପାତ୍ର, ବିଜୟ କୁମାର ଦାସ,ଘନଶ୍ୟାମ ଦାସ, ଧରଣୀଧର ମହାପାତ୍ର, ଦଶରଥ ଦାସ, ଖଗେଶ୍ୱର ଦାସ ଆଦି ପରିଚାଳନା କରିଥିଲେ। ସ୍ଥାନୀୟ ଅଂଚଳ ର ଅରବିନ୍ଦ ପତି, ପ୍ରତାପ ସାମଲ, ସନ୍ତୋଷ ଦାଶ ଅଧିକାରୀ,ନିରାକାର ଧଳ,ସଚ୍ଚିକାନ୍ତ ପଣ୍ଡା ଙ୍କ ସମେତ ସହଯୋଗ କରିବାକୁ ସମର୍ଥନ ଦେଇଥିଲେ। ତପନ କୁମାର ଦାସ, ହରିହର ଦାସ, ସୁଶିଲ ଦାସ, ରବିନ୍ଦ୍ର ଦାସ, ଅମରେଶ ଦାସ ଓ ଅନ୍ୟମାନେ ଆଜିର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ