
ମାଲକାନଗିରି, ୧୬ ନଭେମ୍ବର (ହି.ସ.)- କୁଡୁମୁଲୁଗୁମା ଶିକ୍ଷା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ନିର୍ବାଚନ ଆଜି ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ସମ୍ପନ୍ନ ହୋଇଛି। ଶିକ୍ଷାକ୍ଷେତ୍ରର ସମୃଦ୍ଧିପାଇଁ ଏକତା, ସଙ୍ଗଠନ ଓ ନୂତନ ଆଶାର ସନ୍ଦେଶ ନେଇ ସଦସ୍ୟମାନେ ବିଶେଷ ଉତ୍ସାହରେ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ବ୍ଲକର ପ୍ରାୟ ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କର ସକ୍ରିୟ ଉପସ୍ଥିତି କାର୍ଯ୍ୟକ୍ରମକୁ ଏକ ସ୍ୱଚ୍ଛ, ଶାନ୍ତ ଏବଂ ସଫଳ ପ୍ରକ୍ରିୟାରେ ପରିଣତ କରିଦେଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଓ ବ୍ଲକ ସ୍ତରର ଅନେକ ଗରିମାମୟ ଅତିଥିମାନେ ଉପସ୍ଥିତ ଥିଲେ। ସେମାନଙ୍କ ଭିତରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତାରକ ମଣ୍ଡଳ, ଜିଲ୍ଲା ସମ୍ପାଦକ ଦାମୋଦର ସାହୁ , ଜିଲ୍ଲା କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସରକାର, ଜିଲ୍ଲା ଉପଦେଷ୍ଟା ପ୍ରଦୀପ ଦଳେଇ , ଖଇରପୁଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ହିମାଂଶୁ ଶେଖର ପାଢ଼ୀ ତଥା କୁଡୁମୁଲୁଗୁମା ବ୍ଲକ ଶିକ୍ଷକ ସଂଘର ପୂର୍ବତନ ସଭାପତି ଉପସ୍ଥିତ ଥିଲେ । ଅତିଥିମାନେ ଶିକ୍ଷାର ଗୁଣାତ୍ମକ ଉନ୍ନତି, ଶିକ୍ଷକଙ୍କ ଦାୟିତ୍ୱବୋଧ, ସଂଘର ଏକତା ଓ ଭବିଷ୍ୟତ କାର୍ଯ୍ୟପଦ୍ଧତି ବିଷୟରେ ମୂଲ୍ୟବାନ ମନ୍ତବ୍ୟ ରଖିଥିଲେ। ସଭାରେ ନୂତନ କାର୍ଯ୍ୟକାରୀ ସମିତି ଗଠନ ପାଇଁ ସଂପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ପାରଦର୍ଶୀ ଓ ସୁସଂଗଠିତ ଭାବେ କରାଗଲା। ଶିକ୍ଷକମାନଙ୍କ ଉପସ୍ଥିତି, ଶିଷ୍ଟାଚାର ଓ ସହଯୋଗ କାର୍ଯ୍ୟକ୍ରମକୁ ଏକ ନୂତନ ସ୍ତରକୁ ନେଇଥିଲା। ନିର୍ବାଚନୀ ପ୍ରକ୍ରିୟା ଶେଷରେ କୁଡୁମୁଲୁଗୁମ୍ମା ଶିକ୍ଷା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ନୂତନ କାର୍ଯ୍ୟକାରୀ ସମିତିର ଘୋଷଣା କରାଯାଇଥିଲା। ଏ ବର୍ଷ ସଭାପତି ଭାବେ ରମେଶ ଚନ୍ଦ୍ର ନେଲୁରୁ , ଉପ ସଭାପତି ପଦବୀରେ ସୁଧାକର ନାୟକ ଓ ଉପ ସଭାନେତ୍ରୀ ପଦବୀରେ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ଦାୟିତ୍ୱ ନିର୍ବାଚିତ ହୋଇଥିଲେ। ସଂପାଦକ ପଦବୀ ପାଇଁ ବ୍ରଜନାରାୟଣ ଦାସ ନିର୍ବାଚିତ ହେବା ସହିତ ସଙ୍ଗଠନ ସଂପାଦକ–୧ ଭାବେ ସୁଶାନ୍ତ ପାତ୍ର ଓ ସଙ୍ଗଠନ ସଂପାଦକ–୨ ଭାବେ ଅଶୋକ କୁମାର ଦାସ ଚୟନ ହୋଇଥିଲେ । କୋଷାଧ୍ୟକ୍ଷ ପଦରେ ଅମର ଲୋଚନ ମଲ୍ଲିକ ଓ ବ୍ଲକ୍ ସଂଯୋଜକ ଭାବରେ ଉମା ଶଙ୍କର ଦାସ ଦାୟିତ୍ୱ ପାଇଲେ। ଏହା ସହିତ ଉପଦେଷ୍ଟା ମଣ୍ଡଳୀରେ ପ୍ରତାପ ଚନ୍ଦ୍ର ମାଝୀ, ଡମ୍ବୁରୁଧର ଭତ୍ରା, ଜନ୍ ସିର୍କା , କର୍ଣ୍ଣ ଭତ୍ରା , ସାମନ୍ତ ଶେଖର ବେନି ଆ ଅନ୍ତର୍ଭୁକ୍ତ କରାଗଲା।
କାର୍ଯ୍ୟକ୍ରମର ସମାପନୀ ଅଂଶରେ ନିର୍ବାଚିତ ସଭାପତି ଏବଂ ଦଳ ତାଙ୍କ ଉତ୍ତର ଭାଷଣରେ ଶିକ୍ଷକ ସମାଜର ସମସ୍ତ ନ୍ୟାୟସଙ୍ଗତ ଦାବି, ପାରିବେଶିକ ସୁଧାର, ପେଶାଗତ ସମ୍ମାନ, ବ୍ଲକର ଶିକ୍ଷାଗତ ଉନ୍ନତି ଓ ସଙ୍ଗଠନର ସୁଦୃଢତା ପାଇଁ ସଘଟିତ ହୋଇ ଲଢ଼ିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ। ସମସ୍ତ ସଦସ୍ୟଙ୍କ ସହଯୋଗ ଓ ଭରସା ଲୋକତାନ୍ତ୍ରିକ ପ୍ରଣାଳୀର ସତ୍ଵକୁ ଅନୁଭବ ହେବା ନିଶ୍ଚିତ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ