
-ବଳଦେବ ଜିଉ ମନ୍ଦିର ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବ୍ୟାପୀ କରାଯିବ
-ପାରିପାଶ୍ୱର୍କ ଉନ୍ନତିକରଣ ଉପରେ ବୈଠକରେ ଗୁରୁତ୍ୱ
ଭୁବନେଶ୍ୱର,16 ନଭେମ୍ବର (ହି.ସ.) କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବ ଜୀଉ ମନ୍ଦିରର ଐତିହ୍ୟ, ପର୍ଯ୍ୟଟନ ଓ ଭକ୍ତଙ୍କ ଭାବାବେଗ ଦୃଷ୍ଟିରୁ ସ୍ୱତନ୍ତ୍ରତା ରହିଛି । ମନ୍ଦିରର ପୂଜାବିଧି ଓ ପରମ୍ପରା ମଧ୍ୟ ଅନେକ ଜଗନ୍ନାଥପ୍ରେମୀଙ୍କୁ ଆକୃଷ୍ଟ କରିଥାଏ । ବର୍ତ୍ତମାନ ସମୟରେ ମନ୍ଦିର ଓ ପାରିପାର୍ଶ୍ଵିକ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି । ଏହି କ୍ରମରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ମୁଖ୍ୟ ମନ୍ଦିରର ଆବଶ୍ୟକ ମରାମତି, ପାରିପାର୍ଶ୍ଵିକ ଉନ୍ନତି ସହ ଆନନ୍ଦ ବଜାର, ରୋଷଘର, ସିନ୍ଦୁକ ଘର, ନିକଟରେ ଥିବା ପୁଷ୍କରିଣୀର ଉନ୍ନତିକରଣ ନେଇ କ’ଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ପ୍ରସ୍ତାବିତ ଥ୍ରୀ-ଡ଼ି ନକ୍ସାର ତର୍ଜମା କରାଯାଇଥିଲା ।
ଏଥି ସହିତ ମାଉସୀ ମା’ ମନ୍ଦିରର ଉନ୍ନତି କରଣ, ପାର୍କିଂ ସ୍ଥଳ, ରଥଖଳା, ଯାତ୍ରୀନିବାସ, ଭୋଗ ଦୋକାନ, ପୋଲିସ କଣ୍ଟ୍ରୋଲ ରୁମ୍ ଆଦିର ଆଧୁନିକୀକରଣ ବାବଦରେ ମହାକାଳପଡ଼ା ବିଧାୟକ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ ଓ ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟାରଙ୍କ ଓ ମନ୍ଦିର ସେବାୟତ ମାନଙ୍କ ସହ ଆଲୋଚନା ହୋଇଥିଲା । ଏହି ଅବସରରେ ବଳଦେବ ଜୀଉ ମନ୍ଦିର ଓ ପାରିପାଶ୍ୱର୍କ ଉନ୍ନତି ପାଇଁ ବିସ୍ତୃତ ପ୍ଲାନ୍ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ, ମନ୍ଦିର ସେବାୟତ ସଂଘର ପ୍ରତିନିଧି ବୃନ୍ଦ ଏବଂ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ