
ଭଦ୍ରକ, ୧୭ ନଭେମ୍ବର (ହି.ସ.)- ଭଦ୍ରକ ଭୂମି ଓଡ଼ିଶା ରାଜନୀତି ପାଇଁ ଏନ୍ତୁଡ଼ିଶାଳ ସାଜିଛି । ଭଦ୍ରକ ମାଟିର ଯଶସ୍ୱୀ ସନ୍ତାନ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ଓଡ଼ିଶାର ନେତୃତ୍ୱ ନେବା ସହ ନୂତନ ବୃହତର ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଉତ୍କଳ ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆ ଠାରେ ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ମହୋତ୍ସବର ସମ୍ପାଦକ ରବି ନାରାୟଣ ଖିଲାରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହକୁ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ସ୍ମତିରେ ଉତ୍ସର୍ଗୀକୃତ କରାଯାଇଥିଲା ଏବଂ 'ଓଡିଶା ରାଜନୀତି ଜଗତକୁ ଭଦ୍ରକର ଅବଦାନ ' ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲ । ଭଦ୍ରକର ବିଧାୟକ ସିତାଂଶୁ ଶେଖର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଭାରତୀୟ ଜନତା ପାର୍ଟିର ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା ବିଶିଷ୍ଟ ଅତିଥି, ଭାରତୀୟ ଚିକିତ୍ସକ ସଂଘ ଓଡିଶା ଶାଖାର ସଭାପତି ଡା. ହରେକୃଷ୍ଣ ନାୟକ, ବରେଣ୍ୟ ଅତିଥି, ଐତିହାସିକ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଭାଗବତ ତ୍ରିପାଠୀ ମୁଖ୍ୟ ବକ୍ତା, ୬୬୨ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ ସଭାପତି ତଥା ଅଧ୍ୟକ୍ଷ ଗୋଲକ ନାୟକ, ମନମୋହନ ସଂଗୀତ ପରିଷଦ, ଭଦ୍ରକ ସମ୍ପାଦକ ରାମନାରାୟଣ ମହାନ୍ତି, ବରେଣ୍ୟ ଅତିଥି, କବି ସାମ୍ବାଦିକ ପ୍ରମୋଦ ରାୟ , ଅଧ୍ୟାପକ ଦତାତ୍ରେୟ ଦାଶ ପ୍ରମୁଖ ବରେଣ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ଟ୍ରଷ୍ଟର ସଭାପତି ଇଂ. ଅଭୟ ସୂତାର ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ସଂଗଠନ ସମ୍ପାଦକ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, ଆବାହକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମହୋତ୍ସବ ସହ ସମ୍ପାଦିକା ଡଃ. ଜାନକୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ରାୟ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ।
ଏହି ଅଧିବେଶନ ପୂର୍ବରୁ କବି ସମ୍ମିଳନୀ ଓ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ସଦାନନ୍ଦ ସାହୁଙ୍କ ସ୍ମୃତିରେ ଉତ୍ସର୍ଗୀତ ଏହି କବିତା ମଂଚରେ କବି ନାରାୟଣ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଏହି ଆସରରେ ଡଃ. ଅବନୀ କୁମାର ପ୍ରଧାନ ମୁଖ୍ୟ ଅତିଥି 'ଏଯାବତ'ର ସମ୍ପାଦକ ମାନସ ପଣ୍ଡା ମୁଖ୍ୟ ବକ୍ତା, 'ଭାବ ବିନୋଦିଆ' ସମ୍ପାଦକ ରତିକାନ୍ତ ଦାସ, ମାତୃକବୀ ମନୋରମା ନାୟକ, କବି ମୁକ୍ତିକାନ୍ତ ମଲ୍ଲିକ, ଶଶିକାନ୍ତ ବେହେରା, ବୈକୁଣ୍ଠନାଥ ଓଝା, ଦୟାନିଧି ବେହେରା, ବ୍ୟଙ୍ଗକବି ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ, ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ