
ଭୁବନେଶ୍ୱର, ୧୭ ନଭେମ୍ବର (ହି.ସ)- ଅର୍ଥବଳ ଓ ଭୋଟ୍ ଚୋରିର ସୁନାମି ସତ୍ୱେ ୪୦ ହଜାରରୁ ଅଧିକ ଲୋକ ଆମକୁ ଭୋଟ୍ ଦେଇଛନ୍ତି। ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ ବିଜେଡିର ଅସ୍ତିତ୍ୱ ଉପରେ ଜନତା ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ଏଣିକି କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି।
ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଆସି ଅଧିଆ ପଡ଼ିଲେ। ଏବେ ଟ୍ରିପଲ୍ ଇଂଜିନ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ମହାନଦୀ ପାଇଁ ବରଂ ଏକାଠି ବସ୍ତନ୍ତୁ; ମାସେ ଦୁଇମାସ ଭିତରେ ସମସ୍ୟା ସମାଧାନ ହୋଇଯିବ। ଏ ଥର ଯେଭଳି ବ୍ୟାପକ ଅନିୟମିତତା ଓ ପଇସାର ଖେଳ ହୋଇଛି, ଏପରି ଚାଲିଲେ ଆଉ ନିର୍ବାଚନ ଲଢ଼ିହେବ କି ନା ସନ୍ଦେହ। ଆମେ ଭୋଟ୍ ଚୋରି କଥା ଉଠେଇଲୁ, ସେମାନେ ଭୋଟ୍ ଲୁଟ୍ କରିକି ଦେଖେଇଦେଲେ। ୪୧ ଗୋଟି ବୁଥ୍ ରେ ୯୦ରୁ ଅଧିକ ପ୍ରତିଶତ ଭୋଟ୍ ପଡ଼ିଛି। ବିଜୟୀ ପ୍ରାର୍ଥୀ କାହିଁକି ହିମାଂଶୁଲାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ? ବିଜେଡି ସରକାରରେ ଜନପ୍ରତିନିଧିମାନେ ଅମଲାତନ୍ତ୍ରୀମାନଙ୍କ ଆଗରେ ମୁଣ୍ଡ ନୁଆଁଉଥିଲେ। ଏମାନେ ବି କିଛି କମ୍ ନୁହନ୍ତି। ଆମେ ମାସେ କାଳ ଅକ୍ଳାନ୍ତ ପରିଶ୍ରମ କରିଛୁ। ତେଣୁ କିଛି ଭୁଲଭଟକା ଥାଇପାରେ; କିନ୍ତୁ ଏପରି ଏକପାଖିଆ ଫଳ ଅସମ୍ଭବ।
ପିସିସି ସଭାପତି ଆହୁରି କହିଥିଲେ, ରାଜ୍ୟବାସୀ ନୂଆପଡ଼ା ବାସୀଙ୍କ ତରଫରୁ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସକୁ ମୁଖ୍ୟ ବିରୋଧୀଦଳ ଭାବେ ଉପସ୍ଥାପିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ତା ସହିତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ ଗଣ, ପଦାଧିକାରୀ ଏବଂ କର୍ମୀଙ୍କୁ ଅଶେଷ ଧନ୍ୟବାଦ୍। ନିର୍ବାଚନ ବିଜେତା ପ୍ରାର୍ଥୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଶା ସେ ଲୋକଙ୍କ ସେବା କରିବେ।କିନ୍ତୁ ସେମାନେ କିଭଳି ନିର୍ବାଚନ ଜିତିଲେ ଆମେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଶ୍ଚୟ ପ୍ରକାଶ କରିବୁ। ଠିକ୍ ନିର୍ବାଚନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅବ୍ୟାହତି ଦେଇ ଉତ୍ତରାଞ୍ଚଳ ଆଇଜି ସରକାରୀ ଦଳର ଚାଟୁକାର ଭାବେ ଜଣାଶୁଣା ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା। ହିମାଂଶୁ ଲାଲ ସିଧାସଳଖ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ। ବିଜେପି ସରକାରୀ କଳର ସମ୍ପୂର୍ଣ ଅପବ୍ୟବହାର, ଭୋଟ ଚୋରି, ଏଭିଏମ୍ ଚଞ୍ଚକତା, ସହ ସହ ନେତା ନେତ୍ରୀଙ୍କ ପ୍ରଚାର ଓ ପ୍ରସାର ଏବଂ ଅନୈତିକ ଉପାୟରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ନିର୍ବାଚନ ଜିତିଛି। ବିନା ଟଙ୍କା, ପଇସା ଖର୍ଚ୍ଚ କରି ଆମ ସଭା ମାନଙ୍କୁ ଦୁଇରୁ ତିନି ହଜାର ଲୋକ ହେଉଥିଲେ ଏବଂ ଶୁଣୁଥିଲେ। ଏପରିକି ଆମ ସଭା ପାଇଁ ୬-୭ ଘଣ୍ଟା ମଧ୍ୟ ଅପେକ୍ଷା କରୁଥିଲେ। କଂଗ୍ରେସ ତାର ଶକ୍ତି ସାମର୍ଥ୍ୟ ଅନୁଯାୟୀ, ଗଣତନ୍ତ୍ରକୁ ସମ୍ମାନ କରି ସତ୍ୟ ପଥରେ ଐତିହାସିକ ନିର୍ବାଚନ ଲଢିଥିଲା। ଯାହାର ଫଳ ସ୍ୱରୂପ ରାଜ୍ୟର ମୁଖ୍ୟ ବିରୋଧୀଦଳକୁ ପଛରେ ପକାଇ ତୃତୀୟ ସ୍ଥାନରେ ରଖି କଂଗ୍ରେସକୁ ଦ୍ୱିତୀୟ ସ୍ଥାନରେ ରଖି ମୁଖ୍ୟ ବିରୋଧିଦଳର ମର୍ଯ୍ୟାଦା ଦେଲେ। ଏଣୁ ଏହି ପରାଜୟ ନିରାଶାର ନୁହେଁ। ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି।
ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଯେଉଁ ଭୋଟ ଲୁଟ ଉପାୟର ଅବଲମ୍ବନ କରି ବିଜେପି ନିର୍ବାଚନ ଲଢ଼ିଲା ତାହା କେବେ ମଧ୍ୟ ସ୍ୱୀକାର୍ଯ୍ୟ ନୁହେଁ। ନିର୍ବାଚନ କମିଶନଙ୍କ ଏକ ପାଖିଆ କାର୍ଯ୍ୟକଳାପ ଆମକୁ ବ୍ୟଥିତ କରିଛି। ବିଭିନ୍ନ ସମୟରେ ସରକାରୀ ଦଳର ଆଦର୍ଶ ଆଚରଣ ବିଧିର ଉଲଙ୍ଘନକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଆମେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରିଥିଲୁ। କିନ୍ତୁ ପରିତାପର ବିଷୟ ସେ ଆମର କୌଣସି ଅଭିଯୋଗକୁ କର୍ଣ୍ଣପାତ କଲେ ନାହିଁ। ଭାରତ ବର୍ଷର ନିର୍ବାଚନୀ ଇତିହାସରେ କେବେ ଘଟି ନଥିବା ଘଟଣା ନୂଆପଡ଼ାରେ ଘଟିଲା। ଏସବୁର ଉତ୍ତର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଶ୍ଚୟ ଦେବାକୁ ପଡ଼ିବ। ଏବଂ ନିର୍ବାଚନୀ ହେରଫେର ରାଜ୍ୟବାସୀଙ୍କ ଜାଣିବା ସକାଶେ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।
ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ସମସ୍ତ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି । କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନିର୍ବାଚନକୁ ପ୍ରଭାବିତ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା