
କେନ୍ଦୁଝର, ୧୭ ନଭେମ୍ବର(ହି.ସ.) – କାରଖାନା ପ୍ରତିଷ୍ଠା ହେଲେ ସ୍ଥାୟୀ ନିଯୁକ୍ତି ସହ ପାରିପାର୍ଶିକ ଅଂଚଳର ବିକାଶ ହେବ ଏହି ଲୋଭାଣିଆ ପ୍ରତିଶ୍ରୁତି ଦେଇ ପୁଞ୍ଜିପତିମାନେ କେନ୍ଦୁଝର ଜିଲାର ନୀରିହ ଆଦିବାସୀଙ୍କ ଜମିକୁ ଶାଗମାଛ ଦରରେ ହାତେଇ ଶିଳ୍ପ ପ୍ରତିଷ୍ଠା କରି ବେଶ୍ ମାଲେମାଲ ହୋଇପାରିଛନ୍ତି। ମାତ୍ର, ଶିଳ୍ପ ପ୍ରତିଷ୍ଠା ପରେ ଦେଇଥିବା ପ୍ରତିଶ୍ରୁତିକୁ ପୁରଣ କରିବାଦ ଦୂରର କଥା, କାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ ଓ ବର୍ଜ୍ୟବସ୍ତୁ ଯୋଗୁଁ ସ୍ଥାନୀୟ ଅଂଚଳବାସୀ ପ୍ରଦୂଷଣର ଶୀକାର ହୋଇ ଯକ୍ଷ୍ମା, ଶ୍ୱାସ, ପେଟ ଓ କିଡନୀ ଭଳି ଦୁରାରୋଗ୍ୟର ଶୀକାର ହୋଇ ଅକାଳରେ ମୃତ୍ୟୁବରଣ କରିବା ଭଳି ଘଟଣା କେନ୍ଦୁଝର ଜିଲା ଯୋଡା ବ୍ଳକ ଲୋଇଡାପଦା ପଂଚାୟତରେ ଦେଖିବାକୁ ମିଳିଛି। ଏହି ପଂଚାୟତ ଚତୁଃପାର୍ଶ୍ୱରେ ଶ୍ରୀମେଟାଲିକ୍ସ ସମେତ ନନ୍ଦିଘୋଷ ଷ୍ଟିଲ ଓ କେଜେଏସ୍ ଆହାଲୁୱାଲିଆ ଷ୍ଟିଲ କାରଖାନା ଦୀର୍ଘବର୍ଷ ଧରି କାର୍ଯ୍ୟକ୍ଷମ ହୋଇ ଆସିଥିଲେ ହେଁ ଅଂଚଳର ପାରିପାର୍ଶ୍ୱକ ଉନ୍ନତି ବଦଳରେ ଶିଳ୍ପ ପ୍ରତିଷ୍ଠା ଯୋଗୁଁ ଭୂଳତ ଜଳର ବହୁଳ ବ୍ୟବହାର କାରଣରୁ ଅଂଚଳବାସୀ ବର୍ଷତମାମ ପାନୀୟଜଳର ଘୋର ଅଭାବର ସମ୍ମୁଖୀନ ଦେବା ଯେତିକି ନିରାଶ କରିଛି, ମାତ୍ରାଧିକ ଭାରୀଯାନ ଚଳାଚଳ ଯୋଗୁଁ ଲୋକେ ଦୈନିଦିନ କାର୍ଯ୍ୟପାଇଁ ସୁରକ୍ଷିତ ଯାତ୍ରା କରିବା ସେତିକି କାଠିକର ପାଠ ହୋଇପଡିଛି। ଶିଳ୍ପ ପ୍ରତିଷ୍ଠା ହେଲେ ଜମିହରା ଓ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିଭିରେ ନିଯୁକ୍ତିର ପ୍ରତିଶ୍ରୁତି ଦେଇ ଆସୁଥିବା ଶ୍ରୀମେଟାଲିକ୍ କାରଖାନା କର୍ତୃପକ୍ଷ ପରବର୍ତୀ ସମୟରେ ସ୍ଥାନୀୟ ଲୋକଙ୍କୁ ଅଣଦେଖା କରି ଜିଲା ଓ ରାଜ୍ୟ ବାହାରର ଅଣଓଡିଆ ଯୁବକଙ୍କୁ ନିଯୁକ୍ତି ଦେବା ନେଇ ସାଧାରଣରେ ଅସନ୍ତୋଷ କ୍ରମେ ଆନ୍ଦୋଳନର ରୂପ ନେବାକୁ ବସିଛି। କେବଳ ସେତିକିନୁହେଁ, ଶ୍ରୀମେଟାଲିକ୍ସ କାରଖାନାରେ ୩୭.୫୦ଟିପିଏ କ୍ଷମତାପ୍ରାପ୍ତ ରୋଲିଂ ମିଲ କାର୍ଯ୍ୟକ୍ଷମ ପାଇଁ ଅନୁମତି ହାସଲ କରିଥିଲେ ହେଁ ସ୍ଥାପନ ଓ ଉତ୍ପାଦନ ପାଇଁ ଅନୁମତି ନଥାଇ କିଭଳି ଭାବେ ଆଉ ଦୁଇଟି ରୋଲିଂ ମିଲ କାର୍ଯ୍ୟକ୍ଷମ ହୋଇଆସୁଛି ସେ ନେଇ ବଡବିଲ ଅଂଚଳର ଜୟନ୍ତ କୁମାର ମିଶ୍ର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ର ବୋର୍ଡ ସଦସ୍ୟ ସଚିବଙ୍କ ନିକଟରେ ଲିଖିତ ଭାବେ ଫେରାଦ ହେବାସହ ଏହାର ତଦନ୍ତ କରାଯାଇ ବେଆଇନ କାର୍ଯ୍ୟ ବିରୋଧରେ ସମ୍ପୃକ୍ତ କମ୍ପାନୀ କର୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ଦାବି କରିଛନ୍ତି। ଶ୍ରୀମେଟାଲିକ୍ସ କାରଖାନାକୁ କଂଚାମାଲ ବୋଝେଇ ଭାରୀଯାନ ଓ କାରଖାନାରୁ ଉତ୍ପାଦିତ ସାମଗ୍ରୀ ପରିବହନ ପାଇଁ ଆସୁଥିବା ଭାରୀଯାନ ମୁଖ୍ୟରାସ୍ତା ଠାରୁ ଆରମ୍ଭ କରି ଗ୍ରାମ୍ୟ ରାସ୍ତାକୁ କବ୍ଜା କରି ରଖୁଥୁବାରୁ ଦିନତମାମ୍ ଉତ୍କଟ ଟ୍ରାଫିକ୍ ସମସ୍ୟା ଯୋଗୁଁ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଦାୟାତ କରୁଥିବା ଛାତ୍ରଛାତ୍ରୀ ସଠିକ୍ ସମୟରେ ପହଂଚିି ନପାରିବା, ଚିକିତ୍ସାଳୟକ ରୋଗୀ ପହଂଚି ନପାରି ଅକାଳରେ ମୃତ୍ୟୁବରଣ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଥୁବା ଲୋଇଡାପଦା ଗ୍ରାମର ରବୀନ୍ଦ୍ର କୁମାର ଓରାମ କ୍ଷୋଭର ସହ ଏହା କହିଛନ୍ତି। କେବଳ ସେତିକିନୁହେଁ, କାରଖାନା ପ୍ରଭାବିତ ଅଂଚଳର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି, ଅଂଚଳବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ, ଷ୍ଟ୍ରିଟ୍ ଲାଇଟ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ଅଂଚଳବାସୀଙ୍କୁ ଉନ୍ନତମାନର ଚିକିତ୍ସା ସହାୟତା ଆଦି ଯୋଗାଣ ପାଇଁ କାରଖାନା କର୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଦାବି କରାଯାଇ ଆସୁଥିଲେ ହେଁ କମ୍ପାନୀ କର୍ତୃପକ୍ଷ କର୍ଣ୍ଣପାତ ନକରିବା ପରୋକ୍ଷରେ ଅଂଚଳବାସୀଙ୍କୁ ଅନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରୁଥିବା ଶ୍ରୀ ଓରାମ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA