
ଜୟପୁର, ୧୭ ନଭେମ୍ବର (ହି.ସ.)- କୋରାପୁଟ ଜିଲା ଯୋଗାଣ ସହାୟକ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଯୋଗାଣ ସହାୟକ ମାନଙ୍କ ସମସ୍ତ ସମସ୍ୟା ନେଇ ଦେବିଘାଟ ପଞ୍ଚାୟତର ରାଜିବ ଗାନ୍ଧୀ ସେବା କେନ୍ଦ୍ର ଠାରେ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଜିଲା ସଭାପତି ମଧୁସୁଦନ ରାଉତ ଓ ସମ୍ପାଦକ ଶ୍ରୀଧର ନାୟକ ସମସ୍ତ ସମସ୍ୟା ଓ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି ସରକାର ନଶୁଣନ୍ତି ତେବେ ଆଗାମୀ ଦିନରେ ଦୃଢ ପଦକ୍ଷେପ ନେବେ ବୋଲି ସଭାପତି ରାଉତ ଜଣେଇଛନ୍ତି । ଦାବି ଗୁଡିକ ମଧ୍ୟରେ ଯୋଗାଣ ସହାୟକଙ୍କୁ ସ୍ଥାୟୀ କରିବା ସହ ଦରମା ବୃଦ୍ଧି କରିବା, ଯୋଗାଣ ସହାୟକଙ୍କ ନାମରେ ପିଡିଏସ ଲାଇସେନ୍ସ କରିବା, କାର୍ଯ୍ୟରତ ଯୋଗାଣ ସହାୟକଙ୍କ ମୃତ୍ୟୁକାଳିନ ସହାୟତା ସହ ତାଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବା, ଯୋଗାଣ ସହାୟକଙ୍କୁ ପଞ୍ଚାୟତରାଜ ବିଭାଗରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୂକ୍ତ କରାଯାଉ ଆଦି ଦାବି ରହିଛି । ବୈଠକର ପରିଚାଳକ ଅଜିତ କୁମାର ଦଳେଇ ସରକାରଙ୍କୁ ଦିବେଦନ କରି କହିଛନ୍ତି ଯେ, ଆଜିକୁ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଯୋଗାଣ ସହାୟକ ମାନେ ନିରବଛିନ୍ନ ଭାବେ ନିଜ ଦାୟିତ୍ୱ ତୁଲାଇ ଆସୁଛନ୍ତି । ପଞ୍ଚାୟତ ଅଧିନରେ ଥିବା ସମସ୍ତ ହିତାଧିକାରି ମାନଙ୍କୁ ମାସକୁ ମାସ ପିଡିଏସ ସାମଗ୍ରୀ ବଣ୍ଟନ କରୁଛନ୍ତି । ଆବଶ୍ୟକ ସ୍ଥଳେ ଦିବ୍ୟାଙ୍ଗ, ଅତି ବୁଢା ବୁଢି, ଘର ଘର ଯାଇ ପିଡିଏସ ସାମଗ୍ରୀ ଯୋଗାଇ ଦିଆଯାଉଛି । କରୋନା ମହାମାରି ସମୟରେ ମଧ୍ୟ ଖାତିର ନକରି ନିସ୍ବାର୍ଥ ସେବା ହିତାଧିକାରିଙ୍କୁ ଯୋଗାଣ ସହାୟକ ମାନେ ସମସ୍ତ ସୁବିଧା ଯୋଗାଇ ଆସିଥିଲେ । ଜଣେ ଯୋଗାଣ ସହାୟକ ମାସିକ ୮ ହଜାର ଟଙ୍କା ଦରମାରେ ପରିବାର ଚଳାଇବା ବହୁ କଷ୍ଟକର ହୋଇପଡୁଛି । ଏହିପରି ଅନେକ ସମସ୍ୟାରେ ଯୋଗାଣ ସହାୟକ ମାନେ ରହିଛନ୍ତି । ତେଣୁ ରାଜ୍ୟ ସରକାର ଯୋଗାଣ ସହାୟକଙ୍କ ଦାବିକୁ ଗୁରୁତ୍ଵର ସହ ନେଇ ନ୍ୟାୟ ଦେବା ପାଇଁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି