
ଧର୍ମଶାଳା,୧୭ ନଭେମ୍ବର (ହି.ସ.)- ଯେତେ ମାଠିବୁ ମାଠ ମୁ ସେଇ ଦରପୋଡା କାଠ । ଏଭଳି ଉକ୍ତିଟି ଯାଜପୁର ଜିଲା ଧର୍ମଶାଳା ପୁଲିସ ପାଇଁ ପ୍ରଜୁଯ୍ୟ ହୋଇଛି । ଦୀର୍ଘ ମାସ ହେବ ଜାରକା ଓ ଏହାର ଆଖପାଖ ଅଂଚଳରୁ ଦୁର୍ବୃତମାନେ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଲଗାତାର ଭାବେ ଚୋରି କରୁଥିବା ବେଳେ ଧର୍ମଶାଳା ପୁଲିସ କେବଳ ଅଭିଯୋଗର ମାମଲା ରୁଜୁ କରିବା ସହ ଲୋକଦେଖାଣିଆ ତଦନ୍ତ କରି ଚୁପ ହୋଇ ବସିରହୁଛି । ପୁଲିସ ଦୁର୍ବୃତଙ୍କୁ ନ ଜଗି ସବୁକିଛି ମୁକୁଳା ପକାଇ ଦେଲେ ଚୋରି ଆହୁରି ଅଧିକ ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ ଧର୍ମଶାଳା ପୁଲିସ କେବେ ତତ୍ପରତା ଦେଖାଇ ଚୋରିରେ ସମ୍ପୃକ୍ତ ଦୁର୍ବୃତଙ୍କୁ ଧରିବ ତାହାକୁ ସମସ୍ତେ ଚାହିଁ ରହିଥିବା ବେଳେ ଗତକାଲି ରାତିରେ ପୁଣି ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଧର୍ମଶାଳ ଥାନା ଅଧୀନ ବିଭିନ୍ନ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଦୁର୍ବୃତମାନେ ଛଅଗୋଟି ସ୍ଥାନରୁ ଚୋରି କରି କରିଥିବା ଜଣାଯାଇଛି । ସୂଚନା ମୁତାବକ, ଏହି ଥାନା ଡେରାବର ଗ୍ରାମର ବରେଇଶୁଣି ମନ୍ଦିର, ରାଧାନଗର ଗ୍ରାମର ହନୁମାନ ମନ୍ଦିର, ଶଙ୍ଖାରିଡିହ ଗ୍ରାମର ହନୁମାନ ମନ୍ଦିର, ଭୁବନ ଗ୍ରାମର ତାରିଣୀ ମନ୍ଦିର, ସ୍କୁଲ ଓ ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ ଚା ଦୋକାନରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ମନ୍ଦିର ଗୁଡିକରୁ ବିଭିନ୍ନ ପିତଳ ସାମଗ୍ରୀ ଓ ସ୍କୁଲରୁ ବିଭିନ୍ନ ଆସବାବପତ୍ର ଦୁର୍ବୃତ ମାନେ ଚୋରି କରି ନେଇଯାଇଥିବା ଅଭିଯୋଗକାରୀମାନେ କହିଛନ୍ତି । ସେହିପରି ଗୋକର୍ଣ୍ଣେଶ୍ୱର ନିକଟରେ ଥିବା ଚା ଦୋକାନରୁ ବିଭିନ୍ନ ଉପକରଣ ନେଇଯାଇଥିବା ଜଣାଯାଇଛି । ଚୋରି ଯାଇଥିବା ସାମଗ୍ରୀ ଗୁଡ଼ିକର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ