
ପୁରୀ, ୧୭ ନଭେମ୍ବର (ହି.ସ.)- ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା କୋଣାର୍କ ଚନ୍ଦ୍ରଭାଗା ଠାରେ ଡିସେମ୍ବର ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ମେଳାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କୋଣାର୍କ ନୃତ୍ୟ ମହୋତ୍ସବ, ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ସହ ସୁଭଦ୍ରା ଶକ୍ତି ମେଳା ଏକ ସମୟରେ ଆୟୋଜନ ହେଉଥିବାରୁ ଗହଳିର ଆଶା କରାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗମନାଗମନ ସୁବିଧା, ପରିସ୍କାର ପରିଛନ୍ନତା, ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ସ୍ବାସ୍ଥ୍ୟ ସୁବିଧା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଆଇନ ଶୃଙ୍ଖଳା ରକ୍ଷା ଇତ୍ୟାଦିକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଯେଉଁ ବିଭାଗର ଯାହା ଦାୟିତ୍ୱ ତାହାକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ସମସ୍ତଙ୍କୁ ସ୍ବାଗତ ସହ ଚଳିତ ବର୍ଷର ସୁଭଦ୍ରା ଶକ୍ତି ମେଳା ଚନ୍ଦ୍ରଭାଗା ଠାରେ ଆୟୋଜିତ ହେବ ଓ ହସ୍ତଶିଳ୍ପ ସହ ପ୍ରାୟ ୨୦୦ ଷ୍ଟଲର ବ୍ୟବସ୍ଥା କରାଯାଉଛି ବୋଲି ସୂଚନା ଦେଇଥିଲେ। ପାର୍କିଂ ସ୍ଥଳ ଚିହ୍ନଟ, ବ୍ୟବହାର ଉପଯୋଗୀ, ଆବଶ୍ୟକ ସୁବିଧା ବ୍ୟବସ୍ଥା କରିବା,ଆଲୋକ ବ୍ୟବସ୍ଥା, ସ୍ବଛତା ବ୍ୟବସ୍ଥା,ଶୌଚାଳୟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ରାସ୍ତା ଘାଟ ସମତୁଲ ବ୍ୟବସ୍ଥା, କଳାକାର ଓ ଷ୍ଟଲ ପାଇଁ ଆସିଥିବା ବ୍ୟକ୍ତି ମାନଙ୍କ ରହଣୀ ବ୍ୟବସ୍ଥା, ସୂଚନା ପ୍ରଦାନ, ପ୍ରଚାର ପ୍ରସାର ବ୍ୟବସ୍ଥା, ଆଇନ ଶୃଙ୍ଖଳା, ଟ୍ରାଫିକ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ବ୍ୟବସ୍ଥାକୁ ଚୂଡାନ୍ତ କରିବାକୁ ପରାମର୍ଶ ଦିଆଯାଇଥିଲା। ସେହିପରି ପ୍ରତ୍ୟହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ, ଡିଆଇବିର ଅତିରିକ୍ତ ଏସପି ଦେବୀ ଶଙ୍କର ପ୍ରତାପ, କୋଣାର୍କ ବିଡ଼ିଓ ଛବିରାଣୀ ସାହୁ, କୋଣାର୍କ ଏନଏସି ର ପୌର ନିର୍ବାହୀ ଅଧିକାରୀ ପ୍ରଦ୍ୟୁମ୍ନ ଜେନା, ଓରମାସ ର ଡେପୁଟି ସିଇଓ ନିଗମ ଚରଣ ଦାସ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ମିଶନ ଶକ୍ତିର ଡିପିସି ସ୍ବାଗତିକା ପରିଡା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ବିଜୟ