ନୂଆପଡ଼ା ବ୍ଲକ ଏବଂ ଏନଏସିରେ ବିଜେଡିର ଘମାଘୋଟ ପ୍ରଚାର ଆମେ ମିଳିମିଶି ନୂଆପଡ଼ାକୁ ଆଗକୁ ନେବା: ସ୍ନେହାଙ୍ଗିନୀ
ଭୁବନେଶ୍ୱର , 2 ନଭେମ୍ବର (ହି.ସ.) ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ରବିବାର ଦିନ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆପଡ଼ା ଜିଲ୍ଲାପରିଷଦ ଜୋନ୍-୯ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଓ ନୂଆପଡ଼ା ଏନଏସିରେ ଜୋରଦାର ପ୍ରଚାର କରି ଜନତାଙ୍କ ସମର୍ଥନ ମାଗିଛନ୍ତି । ନୂଆପଡ଼ାର ସର୍ବାଙ୍
ନୂଆପଡ଼ା ବ୍ଲକ ଏବଂ ଏନଏସିରେ ବିଜେଡିର ଘମାଘୋଟ ପ୍ରଚାର ଆମେ ମିଳିମିଶି ନୂଆପଡ଼ାକୁ ଆଗକୁ ନେବା: ସ୍ନେହାଙ୍ଗିନୀ


ଭୁବନେଶ୍ୱର , 2 ନଭେମ୍ବର (ହି.ସ.)

ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ରବିବାର ଦିନ ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆପଡ଼ା ଜିଲ୍ଲାପରିଷଦ ଜୋନ୍-୯ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଓ ନୂଆପଡ଼ା ଏନଏସିରେ ଜୋରଦାର ପ୍ରଚାର କରି ଜନତାଙ୍କ ସମର୍ଥନ ମାଗିଛନ୍ତି । ନୂଆପଡ଼ାର ସର୍ବାଙ୍ଗୀନ ବିକାଶ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନା ଓ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଜନସଭା ଜରିଆରେ ଲୋକଙ୍କୁ ଭେଟି ସେମାନଙ୍କ ସହ ସୁଖ ଦୁଃଖ ବାଣ୍ଟିଥିଲେ । ଏହି ଅବସରରେ ଅନେକ ମହିଳା, କୃଷକ ଏବଂ ଆଦିବାସୀ ନିଜ ସମସ୍ୟା ସମ୍ପର୍କରେ ଶ୍ରୀମତୀ ଛୁରିଆଙ୍କୁ ଅବଗତ କରିଥିଲେ ।

ଆଜି ପୂର୍ବାହ୍ନରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଶ୍ରୀମତୀ ଛୁରିଆ ୯ ନଂ ଜିଲ୍ଲାପରିଷଦ ଜୋନ୍ର ଚୁଲଭାଟ, ମୁଟା ନୂଆପଡା, କେରମେଲି ଓ ତାନୱାଟ ଗ୍ରାମପଞ୍ଚାୟତରେ ମାରାଥନ ପ୍ରଚାର କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହା ପରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଅନ୍ୟ ନେତୃବୃନ୍ଦଙ୍କ ସହ ଶ୍ରୀମତୀ ଛୁରିଆ ନୂଆପଡ଼ା ଏନଏସିର ୱାର୍ଡ ନଂ ୧୩, ୧୪, ୮, ୭, ୩, ୪, ୯, ୫ରେ ଜୋରଦାର ପ୍ରଚାର କରିଥିଲେ । ଏହି ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ବିଧାୟକ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଧାୟିକା ବର୍ଷା ସିଂ ବରିହା, ବିଧାୟକ ସାରଦା ନାୟକ, ବିଧାୟିକା ମନୋରମା ମହାନ୍ତି, ଦୀପାଳି ଦାସ ଓ ସଞ୍ଜିତ ମହାନ୍ତି ବିଜେଡି ପାଇଁ ଭୋଟ ନିବେଦନ କରିଥିଲେ ।

ଆଜି ବିଜେଡି ପ୍ରାର୍ଥିନୀଙ୍କୁ ବିଭିନ୍ନ ସ୍ଥାନରେ ଲୋକେ ପାରମ୍ପରିକ ରୀତିନୀତିରେ ସ୍ୱାଗତ ଜଣାଇଥିଲେ । ତେବେ ସବୁ ସ୍ଥାନରେ ଲୋକେ ନବୀନ ବାବୁଙ୍କ ସୁଶାସନକୁ ସ୍ମରଣ କରି ପୁନର୍ବାର ବିଜେଡି ସପକ୍ଷରେ ନିଜର ସମର୍ପଣ ଭାବ ପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀମତୀ ଛୁରିଆ କହିଥିଲେ, ନୂଆପଡ଼ାବାସୀ ବିଜୁ ଜନତା ଦଳକୁ ଅତୀତରେ ଢ଼େର ଆଶୀର୍ବାଦ ଦେଇଛନ୍ତି । ପ୍ରତିବଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ାର ବିକାଶ ପାଇଁ ହାତ ଖୋଲି ଦେଇଥିଲେ । ମହିଳା ସଶକ୍ତିକରଣ ପାଇଁ ହେଉ ଅବା ଏଠାକାର ରାସ୍ତାଘାଟର ଉନ୍ନତି, ସବୁଠି ବିଜେଡି ସରକାରଙ୍କ ସ୍ୱାକ୍ଷର ରହିଛି । ଗତ ଦେଢ଼ ବର୍ଷ ହେଲା ବିକାଶ ଯେପରି ଅଟକି ଯାଇଛି, ଗାଁକୁ ଟଙ୍କା ଆସୁନି, ପ୍ରକଳ୍ପ ଶେଷ ହେଉନି । ମହିଳା ଏସଏଚଜିର ସଦସ୍ୟାମାନେ ଆଜି ନିଜକୁ ବେସାହାରା ମନେ କରୁଛନ୍ତି । କିନ୍ତୁ ବିଧାନସଭାରେ ନୂଆପଡ଼ାର ଅଧିକାର ପାଇଁ ବିଜେଡି ସ୍ୱର ଉଠେଇବ । ଆପଣମାନେ ପୁନର୍ବାର ବିଜେଡିକୁ ଭୋଟ ଦିଅନ୍ତୁ ବୋଲି ଶ୍ରୀମତୀ ଛୁରିଆ ଜନତାଙ୍କୁ ନିବେଦନ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande