

ସମ୍ବଲପୁର/ନୂଆପଡା, ୦୨ ନଭେମ୍ବର (ହି.ସ.) - ଆଜି ନୂଆପଡ଼ା ସହରରେ ଆଗାମୀ ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସପକ୍ଷରେ କଂଗ୍ରେସ ଦଳ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ନଗର ପରିକ୍ରମା କରିଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ଅନ୍ୟ ଦଳୀୟ ନେତାଙ୍କ ସହ ଏକ ଖୋଲା ଜିପ୍ ରେ ଶୋଭାଯାତ୍ରାର ଆଗେ ଆଗେ ଏକ ବାଇକ୍ ଶୋଭାଯାତ୍ରାରେ ପ୍ରଚାର କରିଛନ୍ତି । ନୂଆପଡ଼ା ସହର ଉପକଣ୍ଠ ପାଣିଗ୍ରାହୀ ପେଟ୍ରୋଲ ପମ୍ପ ନିକଟରୁ ଏହି ଶୋଭାଯାତ୍ରା ବାହାରି ତେଲିପଡ଼ା ପର?୍ୟ୍ୟନ୍ତ ଯାଇଥିଲେ । ଶୋଭାଯାତ୍ରାରେ କର୍ମୀ ଓ ସମର୍ଥକଙ୍କ ସଂଖ୍ୟା ସେତେଟା ନଥିଲେ ମଧ୍ୟ ଆଜିର ସାପ୍ତାହିକ ହାଟର ଭିଡ଼ କଂଗ୍ରେସ ଶୋଭାଯାତ୍ରାର ଯଥେଷ୍ଟ ସମ୍ମାନ ରକ୍ଷା କରିବାରେ ସମର୍ଥ ହୋଇଥିଲା । ସୂଚନାଯୋଗ୍ୟ ନୂଆପଡ଼ା ଉପ-ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ସମସ୍ତ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ଆଦିବାସୀ ବର୍ଗର ପ୍ରାର୍ଥୀ ଭାବେ ଘାସିରାମ ମାଝୀଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ହେଲେ ପିସିସି ସଭାପତି ଶ୍ରୀ ଦାସଙ୍କ ନିର୍ବାଚନୀ ପ୍ରଚାରର ତରିକା କଂଗ୍ରେସ କର୍ମୀଙ୍କ ମହଲରେ ବିଶେଷ ଆଦୃତ ହେଉନଥିବାରୁ ଏହା ଘାସିରାମଙ୍କ ପାଇଁ ଭିନ୍ନ ଏକ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ