
ଜୟପୁର, ୦୨ ନଭେମ୍ବର (ହି.ସ.) - ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବୈପାରିଗୁଡା ଜୋନ୍ ର ଜେନେରାଲ ବଡ଼ି ମିଟିଂ ଶ୍ରୀ ଲୈଛନ ମୁଦୁଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀ କୁ ସମ୍ବୋଧିତ କରି ସିପିଆଇ ରାଜ୍ୟ କାର୍ଯ୍ୟକାରି କମିଟି ସଭ୍ୟ ପ୍ରମୋଦ କୁମାର ମହାନ୍ତି ଚଣ୍ଡୀଗଡ ଠାରେ ସେପ୍େଟମ୍ବର ୨୧ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜାତୀୟ ମହାସମ୍ମିଳନୀ ର ରିପୋର୍ଟ ଉପରେ ଆଲୋକପାତ କରିଥିଲେ । ସିପିଆଇ ପୃଥିବୀର ବିଭିନ୍ନ ଦେଶରେ ବାମପନ୍ଥୀ ସମାଜବାଦୀ ଦଳମାନଙ୍କ ପକ୍ଷଧର ହେଉଥିବା ବେଳେ କେତେକ ଦେଶରେ ଦକ୍ଷିଣ ପନ୍ଥୀ ଫାଶିବାଦୀ ଶକ୍ତି ମାନେ ମୁଣ୍ଡ ଟେକୁଛନ୍ତି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ନିଜକୁ ନିଜେ ପୃଥିବୀର ତ୍ରାଣକର୍ତା ବୋଲେଇ ହେଉଥିବା ବେଳେ ଚାଇନା,ଋଷିଆ,ଭାରତ ର ମିଳିତ ଅଭିଯାନ ତାକୁ ଚିନ୍ତିତ କରିଛି। ପାଲେଷ୍ଟାଇନ ସପକ୍ଷରେ ବିଶ୍ୱର ବାମପନ୍ଥୀ ସମାଜବାଦୀ ପ୍ରଗତିଶୀଳ ଶକ୍ତି ମାନେ ଛିଡ଼ା ହୋଇଛନ୍ତି । ଭାରତରେ ୨୦୧୪ ପରେ ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଦେଶର ଧର୍ମନିରପେକ୍ଷ ନିତୀ ଓ ସାମ୍ବିଧାନିକ ସଂସ୍ଥା ଉପରେ ବିପଦ ବୃଦ୍ଧି ପାଇଛି। ସାମ୍ପ୍ରଦାୟିକ ସଦ୍ଭାବ ନଷ୍ଟ ହୋଇଛି । ଆର୍ ଏସ୍ ଏସ୍ ନିର୍ଦ୍ଦେଶନାରେ ପରିଚାଳିତ ବିଜେପି ସରକାର ଦେଶକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରିବା ଦିଗରେ ସମସ୍ତ ପଦକ୍ଷେପ ନେଇ ଚାଲିଛି। ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଦେଶରେ ବେକାରୀ, ଦରଦାମ୍ ବୃଦ୍ଧି ଭ୍ରଷ୍ଟାଚାର ଓ ଶ୍ରମଜୀବୀ ମଣିଷ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି। ଏତିକି ବେଳେ ବାମପନ୍ଥୀ ଶାସିତ ରାଜ୍ୟ କେରଳ ଦେଶରେ ଆଦର୍ଶ ରାଜ୍ୟ ଭାବେ ଗରୀବୀ ମୁକ୍ତ ବିକାଶଶୀଳ ରାଜ୍ୟ ଭାବେ ଉଭା ହୋଇଛି । ସିପିଆଇ ନିର୍ଦ୍ଧାରଣ କରିଛି ଯେ ପାର୍ଟି ର ନିଷ୍ପତିକୁ ଶାଖା ସ୍ତରରେ ଆଲୋଚନା କରି ବ୍ୟାପକ ଜନ ଆନ୍ଦୋଳନ ସୃଷ୍ଟି କରିବା ପାଇଁ ହେବ । ଜାତୀୟତାବାଦ ନାମରେ ଦେଶରେ ସୃଷ୍ଟି କରୁଥିବା ବିଦ୍ୱେଷ କୁ ପଦାରେ ପକେଇବାକୁ ହେବ ଏବଂ ବଂଚିବାର ମୈ।ଳିକ ଅଧିକାର ହାସଲ ପାଇଁ ଲଢ଼ିବାକୁ ହେବ । ବରିଷ୍ଠ ସିପିଆଇ ନେତା ଶ୍ରୀ ଯୁଧିଷ୍ଠିର ରାଉଳ ପାର୍ଟି ସାଥି ମାନେ ସଂଗଠନ କୁ ମଜବୁତ୍ କରିବା ସହ ଅଂଚଳର ସମସ୍ୟା ନେଇ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସିପିଆଇ ଜିଲ୍ଲା ସମ୍ପାଦକ ଶ୍ରୀ ରାମକୃଷ୍ଣ ଦାସ ବୈପାରିଗୁଡା ଜୋନ୍ ର ସମସ୍ତ ଶାଖାର ସଭ୍ୟ ନବୀକରଣ ସହ ନୂତନ ଶାଖା ଗଠନ କରିବା , ଆସନ୍ତା ଡ଼ିସେମ୍ବର ୨୧ ପାର୍ଟି ର ଶତବାର୍ଷିକୀ ସମାବେଶ ରେ ବହୁ ସଂଖ୍ୟାରେ ସାଥି ମାନେ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି। ଆଜିର ବୈଠକରେ ଜିଲ୍ଲା ସହ ସମ୍ପାଦକ ଶ୍ରୀ ବୁଦ୍ରା ବଡନାୟକ,ବୈପାରିଗୁଡା ଜୋନ୍ ସମ୍ପାଦକ ଶ୍ରୀ ବଳିଭଦ୍ର ଭୋଇ, ଯୁବ ସଂଘ ନେତା ମଧୁ ଜାନୀ , ଜୋନ୍ ସହ ସମ୍ପାଦକ ରାମ ପାଙ୍ଗୀ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି