
ବାରିପଦା, ୦୨ ନଭେମ୍ବର (ହି.ସ.) - ନିଶା ସାଜିଲା କାଳ। ନିଶାସକ୍ତ ଅବସ୍ଥାରେ ସ୍ୱାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଏହିପରି ଅଘଟଣ ବାରିପଦା ସଦର ଥାନା ଅନ୍ତର୍ଗତ ରାଣୀଭୋଳ ଗ୍ରାମରେ ଘଟିଯାଇଛି। ମୃତ ସ୍ତ୍ରୀ ଜଣକ ହେଲେ ଉକ୍ତ ଗ୍ରାମର କସ୍ତୁରୀ ଦେହୁରୀ। ସୂଚନା ଅନୁଯାୟୀ, ପୂର୍ବରୁ କସ୍ତୁରୀ ଓ ତାଙ୍କ ସ୍ୱାମୀ ସୁରୁ ଦେହୁରୀଙ୍କ ମଧ୍ୟରେ ପାରିବାରିକ କଳହ ହେଉଥିଲା। ସ୍ୱାମୀ ସୁରୁ ନିଶାସକ୍ତ ଅବସ୍ଥାରେ ସ୍ତ୍ରୀ କସ୍ତୁରୀଙ୍କୁ ପିଟାମରା ମଧ୍ୟ କରୁଥିଲା। ସୁରୁ ଦେହୁରୀ ରବିବାର ପୂର୍ବାହ୍ନ ସମୟରେ ନିଶାଶକ୍ତ ଅବସ୍ଥାରେ ଘରକୁ ଆସିଥିବା ବେଳେ ସ୍ତ୍ରୀ କସ୍ତୁରୀ ଦେହୁରୀ ସହ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ କାଠ ଫାଳିଆରେ କସ୍ତୁରୀଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଯାହା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ କସ୍ତୁରୀର ପ୍ରାଣବାୟୁ ଉଡି ଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ମାନେ ଘଟଣା ବାବଦରେ ଜାଣିବା ପରେ ବାରିପଦା ସଦର ଥାନା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ ନେତୃତ୍ୱରେ ଟିମ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଛନ୍ତି। ଏହାସହିତ ପତ୍ନୀ ହନ୍ତା ସ୍ୱାମୀ ସୁରୁ ଦେହୁରୀକୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି। ପଚରା ଉଚରା ପରେ ସ୍ୱାମୀ ସୁରୁ ଦେହୁରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାରିପଦା ସଦର ଥାନା ଅଧିକାରୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ