

ସମ୍ବଲପୁର, ୨୩ ନଭେମ୍ବର (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ଅନ୍ତର୍ଗତ ଭୋଜପୁର ସରସ୍ଵତୀ ଶିଶୁମନ୍ଦିରର ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ବାର୍ଷିକ ଉତ୍ସବ ତଥା ଊନତ୍ରିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଗୁଣ୍ଡୁରୁଚୁଆଁର ପୂର୍ବତନ ମଣ୍ଡଳ ସଭାପତି ଦୁଷ୍ମନ୍ତ ନାଏକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଗବେଷକ ତଥା ପ୍ରଧାନ ଶିକ୍ଷକ ଗୌରୀଦାସ, ବିଦ୍ୟାଳୟର ସଭାପତି ପ୍ରଶାନ୍ତ ନାୟକ, ସାମ୍ବାଦିକ ରତିକାନ୍ତ କିସାନ ଅତିଥି ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ ଅତିଥିଗଣ ଉଜ୍ଵଳ ଭବିଷ୍ୟତ ଗଢିବା ଦିଗରେ ଶିଶୁ ଭାଇ ଭଉଣୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ରତିକାନ୍ତ କିସାନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ଵାଗତ ସଂଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
ଏହି ଅବସରରେ ସମସ୍ତଙ୍କ ପାଇଁ ବିଦ୍ୟାଳୟ ତରଫରୁ ଏକ ଗଣ ଭୋଜନର ବ୍ୟବସ୍ଥା ହୋଇଥିଲା । ଶିଶୁମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମା ମାନେ ସାହାଯ୍ୟ ସହଯୋଗ କରିଥିବା ବେଳେ ଶେଷରେ ବିଦ୍ୟାଳୟର ଉପ ସଭାନେତ୍ରୀ ସୁପ୍ରଭା ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ