ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ
ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ ସମାବେଶର ଉଦ୍‌ଯାପନୀ ୧୪ ଡିସେମ୍ବର କଂଗ୍ରେସର ଦିଲ୍ଲୀ ଚଲୋ ୨୬ ନଭେମ୍ବର ସମ୍ବିଧାନ ବଞ୍ଚାଅ; ଡିସେମ୍ବର ୬ରେ ଆମ୍ବେଦକରଙ୍କ ମହାପ୍ରୟାଣ ପାଳିତ ହେବ ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ଏଆ
ଦୁଇ ସପ୍ତାହ ମଧ୍ୟରେ ଜିଲ୍ଲା କଂଗ୍ରେସ ସଂଗଠନ ସୃଜନ


ଡିସିସି କର୍ମକର୍ତ୍ତା ଓ ବ୍ଲକ୍ ସଭାପତି ବଛା ହେବେ

ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ ସମାବେଶର ଉଦ୍‌ଯାପନୀ

୧୪ ଡିସେମ୍ବର କଂଗ୍ରେସର ଦିଲ୍ଲୀ ଚଲୋ

୨୬ ନଭେମ୍ବର ସମ୍ବିଧାନ ବଞ୍ଚାଅ; ଡିସେମ୍ବର ୬ରେ ଆମ୍ବେଦକରଙ୍କ ମହାପ୍ରୟାଣ ପାଳିତ ହେବ

ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ଏଆଇସିସିର ସଂଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୩୫ ସଂଗଠନିକ ଜିଲ୍ଲାରେ ସଭାପତିମାନଙ୍କୁ ଚୟନ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ନବନିଯୁକ୍ତ ସଭାପତିମାନେ ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ ତଥା ନୂଆପଡ଼ା ଉପନିର୍ବାଚନରେ ବ୍ୟସ୍ତ ଥିବାରୁ ନିଜନିଜ ଜିଲ୍ଲା ଟିମ୍ ଗଠନ କରିପାରି ନ ଥିଲେ। ରବିବାର ଅପରାହ୍ଣରେ କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଏଆଇସିସିର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଏ ନେଇ ଏକ ଦୁଇ ସପ୍ତାହର ଖସଡ଼ା ଘୋଷଣା କରିଛନ୍ତି। ପ୍ରତି ଜିଲ୍ଲାରେ ସାଧାରଣ, ଦଳିତ, ଜନଜାତି, ସଂଖ୍ୟାଲଘୁ ଓ ମହିଳା ବର୍ଗରୁ ପ୍ରତିନିଧିତ୍ବ ସହ ସର୍ବାଧିକ ୩୧ ଜଣ କର୍ମକର୍ତ୍ତା ରହିବେ। ପ୍ରତି ଜିଲ୍ଲା ସଂଗଠନରେ ୬ ଜଣ ଉପସଭାପତି ରହିବେ। ସଂଗଠନ ଦାୟିତ୍ବରେ ତଥା ଛାମୁଆ ସଂଗଠନ ଦାୟିତ୍ବରେ ଜଣେ ଲେଖାଏଁ ଉପସଭାପତି ରହିବେ। ପ୍ରତି ବିଧାନସଭା କ୍ଷେତ୍ରରୁ ଦୁଇଜଣ ଲେଖାଏଁ ସାଧାରଣ ସଂପାଦକଙ୍କୁ ଚୟନ କରାଯାଉଥିବା ବେଳେ ପ୍ରତି ବ୍ଲକ୍‌/ପୌରାଂଚଳରୁ ଦୁଇଜଣ ଲେଖାଏଁ ଡିସିସି ସଂପାଦକ ରହିବେ। ସମଗ୍ର ଜିଲ୍ଲା ପାଇଁ ଜଣେ ମୁଖପାତ୍ର ଓ ଜଣେ ସାମାଜିକ ଗଣମାଧ୍ୟମ ଇନ୍‌-ଚାର୍ଜ ରହିବେ। ଜିଲ୍ଲାର ପ୍ରଶିକ୍ଷଣ ଦାୟିତ୍ବରେ ମଧ୍ୟ ଜଣେ କର୍ମକର୍ତ୍ତା ରହିବେ ବୋଲି ଶ୍ରୀ ଲଲ୍ଲୁ ସୂଚନା ଦେଇଛନ୍ତି। ଡିସିସି ସଭାପତିମାନେ ନିଜନିଜ ଜିଲ୍ଲାର ସମସ୍ତ ବିଧାୟକ/ସାଂସଦ/ବରିଷ୍ଠ ନେତା/ପୂର୍ବତନ ବିଧାୟକ/ପୂର୍ବତନ ସାଂସଦ/ଗତ ଲୋକସଭା ଓ ବିଧାନସଭା ନିର୍ବାଚନର କଂଗ୍ରେସ ପ୍ରାର୍ଥୀମାନଙ୍କ ସହ ପରାମର୍ଶ କରି ତାଲିକାକୁ ଚୂଡ଼ାନ୍ତ ଅନୁମୋଦନ ପାଇଁ ପିସିସି ସଭାପତିଙ୍କ ପାଖକୁ ଆସନ୍ତା ୧୦ ଡିସେମ୍ବର ସୁଦ୍ଧା ପଠାଇବେ ବୋଲି ଶ୍ରୀ ଲଲ୍ଲୁ କହିଛନ୍ତି।

ଆସନ୍ତା ୨୬ ନଭେମ୍ବର ବୁଧବାର ଦେଶବ୍ୟାପୀ ‘ସମ୍ବିଧାନ ବଞ୍ଚାଅ’ କାର୍ଯ୍ୟକ୍ରମ ହେଉଛି। ଏହି କ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସେଦିନ ଡିସିସିମାନଙ୍କ ପକ୍ଷରୁ ପ୍ରଭାତଫେରୀ, ଆଲୋଚନାଚକ୍ର, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା, ଖେଳକୁଦ, ସାଧାରଣ ସଭା ଆଦି ଆୟୋଜନ ଜରିଆରେ ବ୍ୟାପକ ଜନସଜେତନତା ସୃଷ୍ଟି କରାଯିବ ବୋଲି କୁହାଯାଇଛି।

ଆସନ୍ତା ଡିସେମ୍ବର ମାସରେ ଦୁଇଟି କାର୍ଯ୍ୟକ୍ରମ ଘୋଷିତ ହୋଇଛି। ୬ ତାରିଖ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ ହେବାକୁ ଥିବାବେଳେ ୧୪ ତାରିଖ ଦିଲ୍ଲୀର ରାମଲୀଳା ମୈଦାନରେ ଏକ ବିଶାଳ ସମାବେଶ ଆୟୋଜିତ ହେବ। ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ର ଦେଶର କୋଟିକୋଟି ଲୋକ ଭାଗ ନେଇଥିବାରୁ ସେଦିନ ବିଭିନ୍ନ ରାଜ୍ୟରୁ ଆସି ଉକ୍ତ ମୈଦାନରେ ଲକ୍ଷେ ଲୋକ ଠୁଳ ହେବେ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କେବଳ ଓଡ଼ିଶାରୁ ୫ ହଜାର ଲୋକ ଭାଗ ନେବକୁ ଦିଲ୍ଲୀ ଯିବେ ବୋଲି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି। ‘ଭୋଟ ଚୋରି ବିରୋଧରେ ଦସ୍ତଖତ ଅଭିଯାନ’ରେ ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିଥିବାରୁ ସଭାପତି ଓ ପ୍ରଭାରୀ ଅନୁଗୁଳ, ଗଜପତି, ଭଦ୍ରକ ଓ କଳାହାଣ୍ଡି ଜିଲ୍ଲାର ସଭାପତିମାନଙ୍କୁ ପ୍ରଶଂସା କରିଥିଲେ।

ଆଜିର ପ୍ରଥମ ବୈଠକରେ ପିସିସି କର୍ମକର୍ତ୍ତା, ଡିସିସି ସଭାପତି ଓ ଛାମୁଆଁ ସଂଗଠନ/ବିଭାଗ/ପ୍ରକୋଷ୍ଠର ମୁଖ୍ୟମାନେ ଭାଗ ନେଇଥିବା ବେଳେ ଦ୍ବିତୀୟ ବୈଠକରେ ଦଳର ବିଧାୟକବୃନ୍ଦ, ଗତ ନିର୍ବାଚନରେ ଲଢ଼ିଥିବା ଦଳର ପ୍ରାର୍ଥୀମାନେ ଯୋଗ ଦେଇ ନେତୃବୃନ୍ଦଙ୍କ ସହ ଭାବ ବିନିମୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ଦୁଇ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ଜୟଦେବ ଜେନା, ତିନି ଉପସଭାପତି ଡ.ଲଲାଟେନ୍ଦୁ ମହାପାତ୍ର , ସସ୍ମିତା ବେହେରା ଓ ଦେବାଶିଷ ପଟ୍ଟନାୟକ,

ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବାଚସ୍ପତି କିଶୋର ପଟେଲ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାଶ, କୃଷକ ସେଲ ଅଧ୍ୟକ୍ଷ ଅଭୟ ସାହୁ, ଆଦିବାସୀ ସେଲ ଅଧ୍ୟକ୍ଷ ଯଶୋବନ୍ତ ସିଂ ଲାଗୁରୀ, ଏସ ସି ସେଲ ଅଧ୍ୟକ୍ଷ ମାନସ ମଲ୍ଲିକ ପ୍ରମୁଖ ଅତିଥି ମଞ୍ଚାସିନ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande