
ନୂଆପଡ଼ା, ୨୩ ନଭେମ୍ବର (ହି.ସ.)- ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଆଜି ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ତଥା ଖରିଆର, ସିନାପାଲି ଓ ବୋଡ଼େନ ନ୍ୟାୟାଳୟ ପରିସର ଗୁଡ଼ିକରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡ଼ା ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୫୦ ଜଣ, ଖରିଆରରେ ୧୫ ଜଣ, ସିନାପାଲିରେ ୧୪ ଜଣ ଓ ବୋଡ଼େନରେ ୨୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡ଼ାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆରରେ ବରିଷ୍ଠ ଦେୱାନୀ ବିଚାରପତି ଇଶା ପତି, ସିନାପାଲିରେ ଜେ.ଏମ୍.ଏଫ୍.ସି ପ୍ରଜ୍ଞା ପରମିତା ମାହାନ୍ତି ଏବଂ ବୋଡେନରେ ଜେ.ଏମ୍.ଏଫ୍.ସି ପଲ୍ଲବି ଦାସ ପ୍ରମୁଖ ପ୍ରତିଯୋଗିତାର ପରିଚାଳନା କରିଥିଲେ । ସର୍ବଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ରୂପେ ପୁସ୍ତକ ପ୍ରଦାନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ