

ବଲାଙ୍ଗିର, ୨୩ ନଭେମ୍ବର (ହି.ସ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଜୟନ୍ତୀ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କ ନିକଟରେ ଜୋରଦାର ଦାବି ଉଠିଛି ଏବଂ ଏକ ମଦ ବିରୋଧୀ ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି। ବରିଷ୍ଠ ସୂଚନା ଅଧିକାର କର୍ମୀ ତଥା ମୋନାର ଜିଲ୍ଲା ସଂଯୋଜକ ନୀଳମଣି ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ସଂଯୋଜନା ଦାୟିତ୍ୱ ତୁଲାଇଥିଲେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ। ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ବିଭୁଦତ୍ତ ମିଶ୍ର, ସତ୍ୟ ବନ୍ଛୋର, ସଂସ୍କୃତି ଗବେଷକ ତରଣୀସେନ ଦୀପ, ସୁବାସିନୀ ସାହୁ, ରାଜେଶ ବଗର୍ତ୍ତୀ, ଡ. ଅର୍ଜୁନ ମୁଗ୍ରୀ, ଡ. ବିପିନ କୁଶୁଲିଆ, କୁନାଲ ଗହିର, ମଞ୍ଜରୀ ପଟେଲ, ସୁଶୀଲ ଭୋଇ, ସିଦ୍ଧେଶ୍ୱର ପାଣିଗ୍ରାହୀ, ରାଜେନ୍ଦ୍ର ସୁନା, ମଙ୍ଗଲୁ ତାଣ୍ଡି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ନିଶା ନିବାରଣ ପାଇଁ ସରକାରଙ୍କ ଉଦାସୀନତା ଉପରେ କଡ଼ା ସମାଲୋଚନା କରିଥିଲେ। ବକ୍ତାମାନେ କହିଥିଲେ ଯେ, “ନିଶା ଆଜି ଓଡ଼ିଶାର ଯୁବପୀଢ଼ିକୁ ଗ୍ରାସ କରୁଛି। ସରକାର ମଦ ବିକ୍ରିରୁ ରାଜସ୍ୱ ଆଦାୟ କରୁଛନ୍ତି କିନ୍ତୁ ସମାଜର ଭବିଷ୍ୟତ ପିଢ଼ିକୁ ଅନ୍ଧକାର ଆଡ଼କୁ ଠେଲୁଛନ୍ତି। ଏହା ସରକାରଙ୍କ ନୈତିକ ଦାୟିତ୍ୱ ଯେ ଓଡ଼ିଶାକୁ ନିଶାମୁକ୍ତ ରାଜ୍ୟ ଭାବେ ଘୋଷଣା କରି କଡ଼ା ନିଷ୍ପତ୍ତି ନେବେ। ଯଦି ଏହା ନ କଲେ ଆଗାମୀ ଦିନରେ ସମାଜ ଏହାର ମୂଲ୍ୟ ଦେବାକୁ ପଡ଼ିବ।” ବୈଠକରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ମଦ ବିରୋଧୀ ଦରଖାସ୍ତ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଏହି ଦରଖାସ୍ତରେ ଓଡ଼ିଶାକୁ ଶୀଘ୍ର ନିଶାମୁକ୍ତ ରାଜ୍ୟ ଘୋଷଣା କରିବା, ମଦ ଦୋକାନ ବନ୍ଦ କରିବା ଏବଂ ନିଶା ନିବାରଣ ପାଇଁ କଡ଼ା ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଅହଲ୍ୟା ରଣା, କାଳିନ୍ଦୀ ମାଝୀ, ଲୋକନାଥ ସୁନା, ବେଲମତୀ ସୁନା, ସନ୍ତୋଷିନୀ ନାୟକ, ଚମ୍ପା ମହାଲିଙ୍ଗ, ପୁଷ୍ପାଞ୍ଜଳି ଭୋଇ, ସରସ୍ୱତୀ ସାହୁ, ଗରିବ ସାହୁ, ସୁକାନ୍ତି ଧରୁଆ, ନରେଶ ବାଗ, ସୁଜିତ କରନ, ଉପାସି ନନ୍ଦ, ଟଙ୍କଧର ଗଡତ୍ଯା, ମଗନ ରାୟ, ଅରୁଣ ରାୟ ସହିତ ବିଭିନ୍ନ ମହିଳା ସଂଗଠନ ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ଏହି ଅଭିଯାନକୁ ସମର୍ଥନ ଜନାଇଥିଲେ। ଅନ୍ତିମରେ ସରୋଜ କୁମାର ମେଶ୍ର ଧନ୍ୟବାଦ ଅର୍ପଣ କରି ସଭାର ସମାପନ ଘୋଷଣା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ