ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ସର୍ବଦା ଦରିଦ୍ର ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପ
ବିଧାନସଭା ପରିସରରେ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳିତ


ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ସର୍ବଦା ଦରିଦ୍ର ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା । ସେ ସଂଭ୍ରାନ୍ତ ଓ ଜମିଦାର ପରିବାରର ବ୍ୟକ୍ତିଥିଲେ ମଧ୍ୟ ସମାଜର ଦଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ପାଇଁ ସାରା ଜୀବନ ସଂଗ୍ରାମ ଜାରି ରଖିଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ଅସହଯୋଗ ଆନ୍ଦୋଳନରେ ସେ ଯୋଗଦେଇଥିଲେ । ସେତେବେଳେ ଓଡ଼ିଶାର ଛାତ୍ର ଓ ଯୁବକମାନଙ୍କ ଭିତରେ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିଲା ।

ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ, ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ଦୀନହୀନ ଅବସ୍ଥାରେ କାଳାତିପାତ କରୁଥିବା ଚାଷୀମୂଲିଆଙ୍କ ସେବା କରି ନିଜକୁ ଧନ୍ୟ ମନେ କରୁଥିଲେ । କ୍ଷମତା ନବକୃଷ୍ଣ ଚୌଧୁରୀଙ୍କ ପରି ବ୍ୟକ୍ତିତ୍ୱଙ୍କୁ କରାୟତ କରିପାରିନଥିଲା ଓ ଦୁର୍ନୀତି ତାଙ୍କୁ ସ୍ପର୍ଶ କରିପାରି ନଥିଲା ।

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢାଲି, ଉତ୍କଳ ସମ୍ମିଳନୀ ଓ ପୂଜ୍ୟପୂଜା ସଂସଦର ବରିଷ୍ଠ ସଦସ୍ୟ ଓ ବିଧାନସଭା ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ବିଧାନସଭା ଗବେଷଣା ଶାଖାର ନିର୍ଦ୍ଦେଶକ ଡ. ତି୍ରବିକ୍ରମ ପ୍ରଧାନ ପ୍ରମୁଖ ବିଧାନସଭା ପରିସରରେ ଥିବା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ବିଧାନସଭାର ଗବେଷଣା ଶାଖା ପକ୍ଷରୁ ପ୍ରକାଶିତ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଶିଳ୍ପୀବୃନ୍ଦଙ୍କ ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନା ଅଧିକାରୀ ଅବିନାଶ ପାଣି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande