
କେନ୍ଦୁଝର, ୨୩ ନଭେମ୍ବର (ହି.ସ.)- ରବିବାର ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ୩୮୦ ଜଣ ଏନ୍.ସି.ସି. କ୍ୟାଡେଟ ଏକ ଚମତ୍କାର ଏବଂ ପ୍ରେରଣାଦାୟକ ଉତ୍ସବ ପାଇଁ ଏକତ୍ରିତ ହୋଇ ୭୮ ତମ ଏନ୍.ସି.ସି. ଦିବସକୁ ଅତ୍ୟନ୍ତ ଉତ୍ସାହ, ଶୃଙ୍ଖଳିତ ଓ ଉଜ୍ଜ୍ବଳ ଦେଶପ୍ରେମ ଭାବନା ସହିତ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏକତା, ନେତୃତ୍ୱ ଏବଂ ନିଃସ୍ବାର୍ଥପର ସେବାର ନୀତିକୁ ଚମତ୍କାର ଭାବରେ ପ୍ରଦର୍ଶନ କରିଥିଲା ଯାହାକୁ ଏନ୍.ସି.ସି. ଗର୍ବର ସହିତ ପ୍ରତିନିଧିତ୍ଵ କରେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ଉତ୍ସାହୀ ଏବଂ ମନମୋହକ ସାଇକେଲ ରାଲି ସହିତ ଆରମ୍ଭ ହୋଇଥିଲା ଯାହାକୁ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. କେନ୍ଦୁଝର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।୧୮୦ ଜଣ କ୍ୟାଡେଟଙ୍କ ଦ୍ଵାରା ଏକ ସାଇକେଲ ରାଲି ବଳଦେବ ଜୀଉ ମନ୍ଦିର ରୁ ଆରମ୍ଭ ହୋଇ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଶେଷ ହୋଇଥିଲା।ଏହି ରାଲିର ଲକ୍ଷ୍ୟ ଥିଲା ପରିବେଶ ସଚେତନତା,ସଡ଼କ ସୁରକ୍ଷା,ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସୁସ୍ଥ ଜୀବନ ଶୈଳୀର ଗୁରୁତ୍ୱକୁ ପ୍ରୋତ୍ସାହିତ କରିବା।ସମାନ୍ତରାଳ ଭାବେ ୨୦୦ ଜଣ କ୍ୟାଡେଟଙ୍କୁ ନେଇ ଏକ ପଦ ଯାତ୍ରା ପ୍ରେରଣା ଦାୟକ ସ୍ଲୋଗାନ ଦ୍ଵାରା ବ୍ୟାପକ ଜନ ସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ଏହା ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମର୍ଯ୍ୟାଦାଜନକ ପତାକା ଉତ୍ତୋଳନ ସମାରୋହ ଏବଂ କ୍ୟାଡେଟମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ ଡି.,୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. କେନ୍ଦୁଝରର ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେ ଯୋଗଦେଇ କ୍ୟାଡେଟ ମାନଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ଏନ୍.ସି.ସି. ସଫଳତାକୁ ଦର୍ଶାଉଥିବା ପ୍ରଦର୍ଶନୀ ଏବଂ ସମାଜସେବା ପଦକ୍ଷେପ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ମୁଖ୍ୟ ଅତିଥି ସମସ୍ତ କ୍ଷେତ୍ରରେ ଏନ୍.ସି.ସି. କ୍ୟାଡେଟମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ ଏବଂ ସ୍ପୋର୍ଟସ ସୁଟିଂ ଦଳର ସଫଳତା ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ।ଦେଶ ପ୍ରେମ ଏବଂ ସୌହାର୍ଦ୍ଦ୍ୟର ସାର ପ୍ରତିଫଳିତ ସୁମଧୁର ପ୍ରେରଣାଦାୟୀ ଏନ୍.ସି.ସି. ସଙ୍ଗୀତ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA