ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ନବକୃଷ୍ଣ ଚୌଧୁରୀଙ୍କୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ସେ ଥିଲେ ଜଣେ ଆଦର୍
ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ


ନବକୃଷ୍ଣ ଚୌଧୁରୀଙ୍କୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ

ଭୁବନେଶ୍ୱର, 23 ନଭେମ୍ବର (ହି.ସ.) ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶ ଦେଶସେବକ ଓ ନିଷ୍ଠାପର କର୍ମୀ ତଥା ଓଡ଼ିଶାର ଦଳିତ, ଅବହେଳିତ ନିଷ୍ପେସିତଙ୍କ ପ୍ରକୃତ ବନ୍ଧୁ ଏବଂ ଜଣେ ବିପ୍ଳବୀ ଜନନାୟକ । ସେ ଥିଲେ ଜଣେ ଆଦର୍ଶବାଦୀ ରାଜନେତା ଓ ସାଲିସ୍‌ବିହୀନ ବ୍ୟକ୍ତିତ୍ୱ । ଜମିଦାରୀ ପ୍ରଥା ଉଚ୍ଛେଦ, ଓଡ଼ିଶା ଭାଗଚାଷ ଆଇନ, ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା ଆଦି ଜନକଲ୍ୟାଣକାରୀ ନିୟମ ଆଣି ନବକୃଷ୍ଣ ଚୌଧୁରୀ ସେ ସବୁବେଳେ ଓଡ଼ିଆଙ୍କ ସ୍ୱାଭିମାନ, ଉନ୍ନତି ବିଷୟରେ ଚିନ୍ତା କରୁଥିଲେ । ଜଣେ ନିଷ୍ଠାପର ଜନନାୟକ ଏବଂ ବିପ୍ଳବୀର ସମସ୍ତ ଗୁଣ ତାଙ୍କଠାରେ ପରିପୂର୍ଣ୍ଣ ଥିଲା ବୋଲି ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ ଏବଂ ସ୍ତମ୍ଭକାର ଶ୍ରୀଯୁକ୍ତ ଭାଗବତ ଶୁକ୍ଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରି କହିଥିଲେ ଯେ ନବକୃଷ୍ଣ ଚୌଧୁରୀଙ୍କୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ନବକୃଷ୍ଣ ଚୌଧୁରୀ ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ, ସମାଜର ନିମ୍ନସ୍ରୋତରେ ଥିବା ମଣିଷଙ୍କ ଉନ୍ନତି, ଭାଷାଗତ ଓ ସାଂସ୍କୃତିକ ବିକାଶ ସାଙ୍ଗକୁ ସବୁବେଳେ ଦୂରଦୃଷ୍ଟି ନେଇ ସମାଜର ଉତ୍ତରଣ କଥା ଚିନ୍ତା କରୁଥିଲେ । ସେ କେବେ ହେଁ କ୍ଷମତା ପାଇଁ ଲାଳାୟିତ ନଥିଲେ। ସେ ନିଜର ସତ୍ୟନିଷ୍ଠ ବ୍ୟବହାର ପାଇଁ ଖ୍ୟାତିଲାଭ କରିଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହି ମଧ୍ୟ କୌଣସି ପାର୍ଥିବ ସ୍ୱାର୍ଥରେ କେବେ ପ୍ରଭାବିତ ହୋଇନଥିଲେ। ଉଭୟ ବ୍ୟକ୍ତିଗତ ଓ ସାମାଜିକ କ୍ଷେତ୍ରରେ ସାଧୁତା, ନୈତିକତା, ସରଳତା, ପରୋପକାର ଓ ସତ୍ୟବାଦିତା ଦୃଷ୍ଟିରୁ ସେ ସମଗ୍ର ଦେଶରେ ଏକ ବିରଳ ରାଜନେତା ଥିଲେ । ମୂଲ୍ୟବୋଧ ଭିତ୍ତିକ ରାଜନୀତି ପାଇଁ ନବକୃଷ୍ଣ ଚୌଧୁରୀ ସବୁଦିନ ପାଇଁ ମନେ ରହିବେ ବୋଲି ସେ କହିଥିଲେ ।

ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ଚିନ୍ତକ ଓ ସ୍ତମ୍ଭକାର ଶ୍ରୀ ପ୍ରହଲ୍ଲାଦ କୁମାର ସିଂହ କହିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ। ସ୍ବର୍ଗତ ଚୌଧୁରୀଙ୍କୁ ଜଣେ ସରଳ, ପରୋପକାରୀ, ସତ୍ୟବାନ ରାଜନେତା ଭାବେ ସାରା ଓଡିଶା ଜାଣେ । ସ୍ୱାଧୀନତା ପୂର୍ବରୁ ଅନେକ ବାର ବିଧାନ ସଭାରେ ଥିଲେ ମଧ୍ୟ ସେ ମନ୍ତ୍ରୀ ପଦକୁ ନାପସନ୍ଦ କରିଥିଲେ। ସେ ସ୍ୱାଧୀନତା ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ, ଅସହଯୋଗ ଏବଂ ଆଇନ ଅମାନ୍ୟ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ତାଙ୍କ ମନ୍ତ୍ରିତ୍ୱ ସମୟରେ ସେ ଅନେକ କ୍ରାନ୍ତିକାରୀ ଆଇନ ପ୍ରଣୟନ କରି ଯାଇଛନ୍ତି । ରାଜସ୍ୱ ମନ୍ତ୍ରୀ ଭାବରେ ଭୂମି ସଂସ୍କାର ଆଇନ , ଯେଉଁଠାରେ ସେ ଜମିଦାରୀ ବ୍ୟବସ୍ଥାକୁ ଉଚ୍ଛେଦ କରିବା ଏବଂ କୃଷକଙ୍କ ମାଲିକାନା ଅଧିକାରକୁ ପ୍ରୋତ୍ସାହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ନିଷ୍ଠା, ଆଦର୍ଶ, ତ୍ୟାଗପୂତ ଜୀବନ ଓଡ଼ିଶାବାସୀଙ୍କ ପାଇଁ ଚିରସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ସମାରୋହରେ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କୁ ଜଣେ ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ, ଖଟିଖିଆ ଓ ମେହନତି ମଣିଷର ସୁଖଦୁଃଖର ସାଥୀ, ସରଳ, ନିରାଡ଼ମ୍ବର ଓ ସର୍ବୋପରି ଜଣେ ସଚ୍ଚା ଦେଶସେବକ ଭାବେ ନବକୃଷ୍ଣ ଚୌଧୁରୀ ଓଡ଼ିଶାବାସୀଙ୍କ ହୃଦୟରେ ଚିରଅମର ହୋଇ ରହିବେ ବୋଲି କହିଥିଲେ । ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିପାରିଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ଅବସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ ପୂର୍ବକ ତାଙ୍କୁ ଏକାଧାରରେ ଜଣେ ସ୍ୱାଧୀନତା ସଂଗ୍ରାମୀ, ନିଃସ୍ୱାର୍ଥପର ଜନସେବକ, ବିଶିଷ୍ଟ ରାଜନୀତିଜ୍ଞ ବୋଲି ବର୍ଣ୍ଣନା କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଶାଶ୍ଵତୀ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର, ଭୁବନେଶ୍ୱର ତରଫରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରା ଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande