

ସମ୍ବଲପୁର/ନୂଆପଡା, ୬ ନଭେମ୍ବର (ହି.ସ.)- ଏକ ସଶକ୍ତ ଓ ସୁଦୃଢ଼ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ନିର୍ବାଚନ ମେରୁଦଣ୍ଡ ସଦୃଶ । ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ହେବା ଉଚିତ, ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ଅଟେ । କିନ୍ତୁ ଦୁଃଖର ବିଷୟ ବିଜୁ ଜନତା ଦଳ ୨୫ ବର୍ଷ ଓଡ଼ିଶାକୁ ଶାସନ କରିଥିଲେ ମଧ୍ୟ ନିର୍ବାଚନ ସମୟରେ ଅଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ବୈତରଣୀ ପାରହେବା ପାଇଁ ଅପଚେଷ୍ଟା ଚଳାଇଛି । ନିର୍ବାଚନ ହାରିବା ଭୟରେ ଶାସକ ଦଳ ନିଜର ହିତାହିତ ଜ୍ଞାନ ହରାଇବସିଛି । ଶେଷରେ ବିଜେଡିର ଶେଷ ଭରସା କୁନି କୁନି ପିଲା ସାଜିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆପଡା ନିର୍ବାଚନମଣ୍ଡଳୀ ନିର୍ବାଚନୀ ପ୍ରଚାର ଅବସରରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ନବୀନ ବାବୁଙ୍କୁ ସ୍ୱାଗତ ଜଣାଇବା ପାଇଁ କୋମନା ବ୍ଲକର ତରାବୋଡା ଗ୍ରାମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ନେତାମାନେ କୋମଳମତି ଛୋଟ ଛୋଟ ପିଲାଙ୍କୁ ବ୍ୟବହାର କରିଥିଲେ । ଛୋଟ ଛୋଟ ପିଲାମାନେ ବିଜେଡିର ଦଳୀୟ ପତକା, ପୋଷାକ ପରିଧାନ କରି ସ୍ଲୋଗାନ ଦେଉଥିବାର ଦୃଶ୍ୟ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେଉଛି । ଶିଶୁ ସୁରକ୍ଷା ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛି ବିଜେଡି । ଏହା ସଂପୂର୍ଣ୍ଣ ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଯାହାର ଭିଡିଓ ଓ ଫଟୋକୁ ନେଇ ତଥ୍ୟ ସହିତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏଥିରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଜେପିମ ପ୍ରତିନିଧିମଣ୍ଡଳ ଦାବୀ କରିଛି ବୋଲି ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢୀ, ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ