ବିଜେପିର ମିଛ ଓ ପ୍ରତାରଣା ନେଇ ଗଣମାଧ୍ୟମରେ ଫେରାଦ ହେଲା ବିଜେଡି
ସମ୍ବଲପୁର/ନୂଆପଡ଼ା, ୦୬ ନଭେମ୍ବର(ହି.ସ.) – ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳାମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ। ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତେ ପଛକୁ ନେବାର ସବୁ ବନେ୍‌ଦାବସ୍ତ କରିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି
ବିଜେପିର ମିଛ ଓ ପ୍ରତାରଣା ନେଇ ଗଣମାଧ୍ୟମରେ ଫେରାଦ ହେଲା ବିଜେଡି


ସମ୍ବଲପୁର/ନୂଆପଡ଼ା, ୦୬ ନଭେମ୍ବର(ହି.ସ.) – ରାଜ୍ୟର ଗରିବ, ପ୍ରବାସୀ ଶ୍ରମିକ, କୃଷକ, ମହିଳାମାନଙ୍କ ପାଇଁ ନବୀନ ସରକାର ଯାହା ସବୁ କରିଥିଲେ, ତାକୁ ମୋହନ ସରକାର ଛାରଖାର କରିଦେଲେ। ୧୬ ମାସ ଭିତରେ ରାଜ୍ୟକୁ ଆଗକୁ ନେବା ପରିବର୍ତେ ପଛକୁ ନେବାର ସବୁ ବନେ୍‌ଦାବସ୍ତ କରିଛନ୍ତି। ନିର୍ବାଚନୀ ପ୍ରତିଶ୍ରୁତି ରକ୍ଷା କରିବାରେ ଏହି ସରକାର ଗୁରୁତର ବିଫଳ ହେବା ସହ ଲୋକଙ୍କୁ କେବଳ ପ୍ରତାରଣା ଦେଇଛନ୍ତି ବୋଲି ବିଜେଡି ଅଭିଯୋଗ କରି ବିଜେପି ସରକାର ଉପରେ ପ୍ରବଳ ବର୍ଷିଛି। ଗୁରୁବାର ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଧ୍ରୁବ ଚରଣ ସାହୁ ବିଜେପି ସରକାରଙ୍କ ଅପାରଗତାର ହିସାବ ଦେଇ ଉପନିର୍ବାଚନରେ ବିଜେପିର ପରାଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ।

ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା କାହାକୁ ଅଛପା ନାହିଁ। କିନ୍ତୁ ରାଜ୍ୟର ସ୍ଥିତି ଆଜି ଦ୍ରୁତ ଗତିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଖୋଦ୍ କେନ୍ଦ୍ର ସରକାରଙ୍କ ରିପୋର୍ଟ କହିଛି, ଓଡ଼ିଶାରେ ପ୍ରତି ଦିନ ହାରାହାରି ୧୫ ଜଣ ମହିଳା ବଳାକ୍ରାରର ଶିକାର ହେଉଛନ୍ତି। ଗତ ୧୬ ମାସ ଭିତରେ ୪ ହଜାର ମହିଳା ଏହି ଦଶା ଭୋଗିଲେଣି। ବେସରକାରୀ ଭାବେ ଏହି ସଂଖ୍ୟା ଢ଼େର ଅଧିକ ହେବ। ଏହା ହେଉଛି ବିଜେପି ସରକାରର ମହିଳା ଜାଗରଣ ଓ ସଶକ୍ତିକରଣ। ଶ୍ରୀ ଆଚାର୍ଯ୍ୟ କହିଥିଲେ, ଚାଷୀଙ୍କୁ ଇନପୁଟ ସବ୍ସିଡି ଦେଇ ଏମଏସପି ବୃଦ୍ଧି କଲେ ବୋଲି କହୁଛନ୍ତି। କିନ୍ତୁ ଯୋଗାଣ ବିଭାଗ ଏପରି ଏକ ପଞ୍ଜିକରଣ ବ୍ୟବସ୍ଥା ଆବିଷ୍କାର କଲେ, ଯେଉଁଥିରେ ହଜାର ହଜାର ସଂଖ୍ୟକ ଚାଷୀ ପଞ୍ଜିକରଣ କରି ନପାରି ଶାଗ ମାଛ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଏସ୍କେୱାଇ ଭଳି ଏକ ଲୋକପ୍ରିୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ବନ୍ଦ କରି ଆୟୁଷ୍ମାନ କାର୍ଡ ପ୍ରଚଳନ କରିବା ପରେ ଡ଼ାକ୍ତରଖାନାରେ ରୋଗୀ ଚିକିତ୍ସା ନ ପାଇ ଛଟପଟ ହେଉଛନ୍ତି। ସୁଭଦ୍ରା ଯୋଜନାରେ ବର୍ଷକରେ ୫୦ ହଜାର ଟଙ୍କା ଦେବେ ବୋଲି କହି ୫ ବର୍ଷରେ ୫୦ ହଜାର ଦେଉଛନ୍ତି । ସେଥିରେ ପୁଣି ହଜାର ହଜାର ଲକ୍ଷପତି ଦିଦି ସୃଷ୍ଟି କରିଦେଇଛନ୍ତି ବୋଲି ସଫେଇ ଦେବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ । ରାଜ୍ୟକୁ ଶିଳ୍ପରେ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିଛନ୍ତି ବୋଲି ବିଜେପି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ବାସ୍ତବରେ କେତେ ନିବେଶ ପ୍ରସ୍ତାବ କାର୍ଯ୍ୟକାରୀ ହେଲା ତା’ର ହିସାବ ଦେଇପାରୁ ନାହାନ୍ତି। ମାଗଣା ୩୦୦ ୟୁନିଟ୍ ବିଜୁଳି, ସମସ୍ତ ସାମାଜିକ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତା ଦିବା ସ୍ୱପ୍ନ ପାଲଟି ଯାଇଛି। ଏଥିପାଇଁ ଲୋକେ ବିଜେପିକୁ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଏହି ସରକାରରେ ଗରିବ ଲୋକ ସବୁଠାରୁ ଅଧିକ ଦୁର୍ଦ୍ଦଶା ଭୋଗୁଛନ୍ତି। ମୋହନ ସରକାର ଇ-କେୱାଇସି ନାମରେ କେବଳ ନୂଆପଡ଼ା ନିର୍ବାଚମଣ୍ଡଳୀରେ ୪୧,୭୭୧ ଜଣଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ଦେଇ ସେମାନଙ୍କ ରାସନ ବନ୍ଦ କରିଦେଇଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ନୂଆପଡ଼ାର ଅନେକ ଲୋକ ବାଦ୍ ପଡିଥିବା ଜାଣିବା ପରେ ନବୀନ ବାବୁ ଏହି ଠାରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ। ସେହିପରି କୋଭିଡ୍ ସମୟରେ ବାହାରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଥିଲେ। ହେଲେ ବିଜେପି କ୍ଷମତାକୁ ଆସିବା ପରେ ରାସନ କାର୍ଡ କାଟିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ କରି ଲକ୍ଷାଧିକ ଯୋଗ୍ୟ ହିତାଧିକାରଙ୍କ ରାସନ ବନ୍ଦ କଲେ। କେବଳ ନୂଆପଡ଼ା ବ୍ଲକରେ ୧୭,୩୦୩, କୋମନା ବ୍ଲକରେ ୨୩,୫୬୫, ନୂଆପଡ଼ା ଏନଏସିରେ ୩୬୩ ଏବଂ ଖରିଆର ରୋଡ଼ ୪୮୯ ଜଣଙ୍କୁ ବାଦ୍ ଦିଆଯାଇଛି। ଯୋଗାଣ ମନ୍ତ୍ରୀଙ୍କ ବିବୃତି ସର୍ବଦା ଦାୟିତ୍ୱହୀନ ବୋଲି ସ୍ପଷ୍ଟ ହୋଇଚାଲିଛି। ଏହାକୁ କ’ଣ ଲୋକଙ୍କ ସରକାର ବୋଲି କୁହାଯିବ ବୋଲି ଶ୍ରୀ ଦାସବର୍ମା ପ୍ରଶ୍ନ କରିବା ସହ ନୂଆପଡ଼ାବାସୀ ଭୋଟ ମାଧ୍ୟମରେ ଏହାର ଜବାବ୍ ଦେବେ ବୋଲି କହିଛନ୍ତି।

ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଥିଲେ, ନୀବନ ବାବୁଙ୍କ ନେତୃତ୍ୱରେ ଓଡ଼ିଶା ବହୁ ଯଶକିର୍ତୀ ଅର୍ଜନ କରିଥିଲା। ସବୁ୍ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। କିନ୍ତୁ ଲୋକଙ୍କ ସରକାର ବୋଲାଉ ଥିବା ଏହି ସରକାର କେବଳ ରାଜ୍ୟ ତଥା ରାଜ୍ୟବାସୀଙ୍କ ଅନିଷ୍ଟ କରି ଚାଲିଛି। କେବଳ ପ୍ରତାରଣା ହିଁ ଦେଇଛି। ଏଥିପାଇଁ ନୂଆପଡ଼ା ଉପ ନିର୍ବାଚନରେ ବିଜେପିକୁ ବହୁ ମୂଲ୍ୟ ଦେବାକୁ ହେବ ବୋଲି ଶ୍ରୀ ନାୟକ କହିଥିଲେ।

ବିଧାୟକ ଧ୍ରୁବ ଚରଣ ସାହୁ କହିଥିଲେ, ବିଜେପି ସରକାରଙ୍କୁ ନେଇ ରାଜ୍ୟବାସୀଙ୍କ ମନରେ କ୍ରୋଧ ରହିଛି। ଏପରି ଏକ ସରକାର ପାଇଁ ଲୋକେ ବିବ୍ରତ ଅଛନ୍ତି । ଆଗାମୀ ୧୧ ତାରିଖ ଦିନ ଏହି ଆକ୍ରୋଶ ଭୋଟ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ନୂଆପଡ଼ାବାସୀ ନିଷ୍ପତି ନେଇ ସାରିଛନ୍ତି। ସେ ଆହୁରି କହିଥିଲେ, କ୍ଷମତା ଲୋଭରେ ବିଜେପି ଓ ରାଜ୍ୟ ସରକାର ଖୋଲାଖୋଲି ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ କରି ଚାଲିଛନ୍ତି। ଶାଢ଼ୀ, ମଦ, ଟଙ୍କା ବଂଟା ଯାଉଛି। ପ୍ରଶାସନକୁ ଲଗାଇ ବିଜେଡି ନେତା, କର୍ମୀ ଓ ସାଧାରଣ ଭୋଟରଙ୍କୁ ଭୟଭିତ କରାଯାଉଛି। ଆତଙ୍କର ଛାୟା ମଧ୍ୟରେ ନିର୍ବାଚନ କରିବା ପାଇଁ ସରକାର ସବୁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande