
କୋରେଇ, ୬ ନଭେମ୍ବର (ହି.ସ.)- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସର୍ବସାଧାରଣ ସ୍ଥାନରେ ମରଣାନ୍ତକ ଆକ୍ରମଣ ହେବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ପ୍ରକାଶ ଯେ, ଯାଜପୁରରୋଡ ଥାନା ଅନ୍ତର୍ଗତ ଭିକିପୁର ଗ୍ରାମର ବଳରାମ ଜେନାଙ୍କ ଅଭିଯୋଗ ମୁତାବକ ଗତ ୨୯ ତାରିଖ ଏକ ପୋଖରୀର ମାଛଧରାକୁ କେନ୍ଦ୍ର କରି ତାଙ୍କ ଗ୍ରାମବାସୀଙ୍କ ସହିତ ପାଣିକୋଇଲି ଥାନା ଅନ୍ତର୍ଗତ ଜହ୍ନା ପଂଚାୟତ ଛୋଟରାୟପୁର ଗ୍ରାମର ଆଲୋକ ଦାସ ଓ ବାବୁଲି ପାତ୍ରଙ୍କ ସହିତ ଝଗଡା ହୋଇଥିଲା । ଯାହାକୁ ନେଇ ଯାଜପୁରରୋଡ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମାତ୍ର ଗତ ୧ ତାରିଖ ବଳରାମ ଛୋଟରାୟପୁର ଛକକୁ ଯାଇଥିବା ବେଳେ ପୂର୍ବ ରାଗରଖି ଉଭୟେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ନିସ୍ତୁକ ମାଡ ଦେବା ସହିତ ତଳେ ପକାଇ ଗାଳିଗୁଲଜ କରି ଚଢିଯାଇଥିଲେ ଓ ସୁନା ଚେନ ଛଡାଇନେଇଥିଲେ । ସ୍ଥାନୀୟ ଲୋକମାନେ ବଳରାମକୁ ଉଦ୍ଧାର କରିଥିଲେ । ଏନେଇ ବଳରାମ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ