
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଶିଶୁ ହସିଲେ ଦେଶ ହସିବ । ଗାଁ ଗହଳିରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାକୁ ଅନ୍ଵେଷଣ କରିବା ଓ ତାହାକୁ ବିକଶିତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଶିଶୁ ମହୋତ୍ସବ ସୁରଭି । ଏହି ଉପଲକ୍ଷେ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସମଗ୍ର ଶିକ୍ଷା, କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ମହୋତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଶ୍ରୀ ପବିତ୍ର ମୋହନ ବାରିକ ଅଧ୍ୟକ୍ଷତା କରିଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର. ଆୟର ଯୋଗ ଦେଇଥିଲା ବେଳେ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକୃଷ୍ଣ ଜେନା, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭସ୍ମିତ। ତ୍ରିପାଠୀ, ସ୍ଵାଗତିକା ସ୍ଵାଇଁ ଓ ଦୀପ୍ତି ନାୟକ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ମହୋତ୍ସବ ସୁରଭିକୁ ମୁଖ୍ୟ ଅତିଥି ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସମସ୍ତ ବ୍ଲକରୁ ପ୍ରାୟ ୩୫୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାତଟି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଛାତ୍ରଛାତ୍ରୀମାନେ ସାତଟି ପ୍ରତିଯୋଗିତା ଯଥା ରଚନା, ବକୃତ।, ଏଲୋକେସନ, ଚିତ୍ରକଳା, ସୃଜନଶୀଳ ଲିଖନ, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ସାତଗୋଟି ବିଭାଗର ଜୁନିଅର ଓ ସିନିୟର ବର୍ଗରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ୩୯ ଜଣ କୃତୀ ପ୍ରତିଯୋଗୀ ଭୁବନେଶ୍ଵରରେ ଚଳିତ ମାସ ୧୨, ୧୩ ଓ ୧୪ ତାରିଖରେ ରାଜ୍ୟସ୍ଥରୀୟ ପ୍ରତିଯୋଗିତାରେ ଭାଗ ନେବେ । ସୂଚନା ଯୋଗ୍ୟ ଯେ, ଜିଲ୍ଲାର ୧୧ ଗୋଟି ପିଏମଶ୍ରୀ ସ୍କୁଲମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ରଘୁରାମ ଆର. ଆୟର ଜିଲ୍ଲାସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାକୁ ଶୁଭ ଉଦଘାଟନ କରିଥିଲେ । ଏହି ପ୍ରତିଯୋଗିତାରୁ ଚୟନ କରାଯାଇଥିବା ୨ ଜଣ କୃତୀ ପ୍ରତିଯୋଗୀ ୧୨ ଓ ୧୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ମଡେଲ ପାର୍ଲିଆମେଣ୍ଟ ପିଏମଶ୍ରୀ ଓଡ଼ିଶା- ୨୦୨୫ ପ୍ରତିଯୋଗିତାରେ ଭାଗ ନେବେ ।
ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ବିଧାୟକ, ମହାକାଳପଡ଼ାଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ ଡେରାବିଶ ବ୍ଲକ ଅଧ୍ୟକ୍ଷ। ପ୍ରଭାତୀ ମଲ୍ଲିକ, କେନ୍ଦ୍ରାପଡ଼ା ଉପ ଆରକ୍ଷୀ ଅଧିକ୍ଷକ(ଦୁର୍ନୀତି ନିବାରଣ) ଭାଗ୍ୟଲକ୍ଷ୍ମୀ ପୁହାଣ, ସମ୍ମାନନୀୟ ଅତିଥି ଭାବେ ଯୋଗଦାନ କରି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପବିତ୍ର ମୋହନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବା ବେଳେ ବଳଦେବ ପ୍ରସାଦ ଜେନା, ପ୍ରକାଶ ପରିଡା, ସେକ ମନସୁର ଅଲ୍ଲୀ ପ୍ରମୁଖ ଶିକ୍ଷା ବିଭାଗ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଦୀପ୍ତି ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି