
ଗଞ୍ଜାମ, ୬ ନଭେମ୍ବର (ହି.ସ.)- ଚିଟ୍ ଫଣ୍ଡ ଠକେଇ ମାମଲାରେ ବ୍ରହ୍ମପୁରରେ ଚଢ଼ଉ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) । ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସିଂଙ୍କ ଘରେ ଇଡି ପକ୍ଷରୁ ଚଢଉ ହୋଇଛି । ଆଜି ସକାଳୁ ଇଡିର ୬ ଜଣିଆ ଟିମ୍ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଯୋଧ୍ୟାନଗର ଦ୍ୱିତୀୟ ଲାଇନ୍ ସ୍ଥିତ ପ୍ରଦୀପଙ୍କ ବାସଭବନରେ ପହଂଚି ଚଢ଼ଉ କରିବା ସହ ଏ ବାବଦରେ ତାଙ୍କୁ ପଚରା ଉଚରା କରୁଛନ୍ତି । ସେହିପରି ଜୟପ୍ରକାଶ ନଗର ଛକ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ମଧ୍ୟ ଚଢଉ କରାଯାଇଛି । ଚଢ଼ଉ ଜାରି ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । ଜମି କାରବାରରେ କୋଟି କୋଟି ଟଙ୍କାର ହେରଫେର୍ ଅଭିଯୋଗରେ ଇଡି ପକ୍ଷରୁ ଏହି ଚଢଉ ହୋଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ କ୍ରାଇମ୍ ବ୍ରାଂଚ ପକ୍ଷରୁ ବ୍ରହ୍ମପୁରରେ ଚଢ଼ଉ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଲୋକ ଚିଟ୍ ଫଣ୍ଡ ଠକେଇର ଶିକାର ହୋଇଥିବା ଜଣାପଡିଛି ।
ପ୍ରକାଶ ଥାଉକି, ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥାର ଆର୍ଥିକ ଠକେଇ ସାମ୍ନାକୁ ଆସିବା ପରେ ପ୍ରଦୀପ ସିଂ ଗିରଫ ହୋଇ ଜେଲ୍ ରେ ଥିଲେ । ବର୍ତମାନ ସେ ଜାମିନ୍ ରେ ଅଛନ୍ତି । ନିକଟରେ ତାଙ୍କ ନାମରେ ବୈଦ୍ୟନାଥପୁର ଥାନାରେ ଏକାଧିକ ଆର୍ଥିକ ଠକେଇ ମାମଲା ରୁଜୁ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ