ସୁରଭି ଓ ମାଣ୍ଡିଆ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ସୁରଭି ଓ ମାଣ୍ଡିଆ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ
ସୁରଭି ଓ ମାଣ୍ଡିଆ ଦିବସ ପାଳନ ଉପଲକ୍ଷେ ଜିଲ୍ଲାସ୍ତରୀୟ  କାର୍ଯ୍ୟକ୍ରମ


ସମ୍ବଲପୁର, ୬ ନଭେମ୍ବର (ହି.ସ)- ସୁରଭି ଓ ମାଣ୍ଡିଆ ଦିବସ ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ତପସ୍ଵିନୀ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ରାଜ୍ୟ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ଲୋକପ୍ରତିନିଧି ବିଭୂତି ଭୂଷଣ ପଟେଲ, ରେଢାଖୋଲ ବିଧାୟକଙ୍କ ପ୍ରତିନିଧି ହୀରାଲାଲ ବେହେରା, ମୁଖ୍ୟବକ୍ତା ଭାବେ ଟିଟିଲାଗଡ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଶିବ ପ୍ରସାଦ ବେହେରା, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରେହାନ କ୍ଷେତ୍ରି ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଜିଲ୍ଲାସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ଗାନ ପରିବେଷଣ ହୋଇଥିଲା। ମୁଖ୍ଯ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ ହେବାପରେ ଜିଲାପାଳ ଶ୍ରୀ ବୋନ୍ଦାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଓଡିଶା ସରକାରଙ୍କ ସୁରଭି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ବୋଲି ନିଜ ଅଭିଭାଷଣରେ ଜିଲ୍ଲାପାଳ ଶ୍ରୀ ବୋନ୍ଦର କହିଥିଲେ । ସମ୍ବଲପୁର ଏକ ସମ୍ଭାବନାର ଜିଲ୍ଲା, ମା’ ସମଲେଇଙ୍କ ଆଶୀର୍ବାଦରୁ ଆମ ସମ୍ବଲପୁରୀ ନୃତ୍ୟ, ସଂଗୀତ, ପୋଷାକ ଓ ଭାଷାର ବିଶ୍ବ ସ୍ତରରେ ଏକ ସ୍ଵତନ୍ତ୍ର ପରିଚୟ ରହିଛି । ତେଣୁ ପ୍ରତ୍ଯେକ ଆତ୍ମବିଶ୍ବାସ ଓ ଦୃଢତାର ସହ ନିଜ ନିଜର ପ୍ରତିଭାକୁ ବିଶ୍ବରେ ସ୍ତରରେ ପଦର୍ଶିତ କରାଇ ନିଜ ଅଞ୍ଚଳକୁ ଗୌରବନିତ୍ଵ କରିବାକୁ ଆହ୍ବାନ ଦେଇଥିଲେ। ଶିଶୁମାନେ ଅନେକ ପ୍ରତିଭାର ଅଧିକାରୀ, ଯାହାର ସଦ୍ଯତମ ଜ୍ଵଳନ୍ତ ଉଦାହରଣ ପାଲଟିଛନ୍ତି ସମ୍ବଲପୁରର ପ୍ରିୟଙ୍କା ପ୍ରଧାନ । ଯିଏକି ସେ ଆଜି ଜାତୀୟ ସ୍ତରରେ କବାଡି ଖେଳି ସ୍ଵର୍ଣ ପଦକ ଆଣିପାରିଛନ୍ତି ବୋଲି ଜିଲ୍ଲାପାଳ ସ୍ମରଣ କରାଇଥିଲେ । ଶିଶୁମାନଙ୍କର ଅନ୍ତର୍ନିହିତ ବିକାଶ ଦିଗରେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଶିକ୍ଷା ବିଭାଗ ପକ୍ଷରୁ ଏକ ମୋବାଇଲ ଆପ୍ଲିକେଶନ ଖୋଲା ଯାଇଛି, ଯେଉଁଥିରେ ପ୍ରତ୍ଯେକ ସ୍କୁଲର ଛାତ୍ରଛାତ୍ରୀ ଯେଉଁମାନେ ଖେଳ, ନାଚ ଗୀତ ଭଳି କ୍ଷେତ୍ରରେ ପାରଦର୍ଶୀ ଅଛନ୍ତି ସେହି ଛାତ୍ରଛାତ୍ରୀ ମାନଙ୍କ ଡାଟା ସଂଗ୍ରହ କରି ସେମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ଜିଲ୍ଲାର ଲୁକକାୟିତ ପ୍ରତିଭାର ବିକାଶ କରିବା ଲାଗି ଜିଲ୍ଲାସ୍ତରରେ ଛାତ୍ରଛାତ୍ରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯିବ ବୋଲି କହିଥିଲେ । ଶେଷରେ ଜିଲ୍ଲାପାଳ ମାଣ୍ଡିଆ ଦିବସର ମହତ୍ଵ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ମାଣ୍ଡିଆର ବ୍ୟବହାର ଓ ମାଣ୍ଡିଆ ଚାଷକୁ ଅଧିକ ପ୍ରସାରିତ କରିବା ଓ ବିଶ୍ୱସ୍ତରରେ ପହଞ୍ଚାଇବା ପ୍ରୟାସ କରିବାକୁ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟବକ୍ତା ଡ. ଶିବ ପ୍ରସାଦ ବେହେରା ତାଙ୍କ ବକ୍ତବ୍ଯରେ ଡ. ଏପି. ଜେ. ଅବଦୁଲ କାଲାମଙ୍କ ନୀତିବାଣୀ କହି ଉପସ୍ଥିତ ପିଲାମାଙ୍କୁ ନିଜ ଜୀବନରେ ପାଠପଢି ଉଚିତ କର୍ମ କରିବାକୁ ପ୍ରୋତ୍ସାହିତ କହିଥିଲେ। ଭାରତୀୟ ମହିଳା କ୍ରିକେଟ ଦଳର ସଦ୍ଯତମ ଉଦାହରଣ ଦେଇ ନିଜ କର୍ମକୁ ବହୁତ ନିଖୁଣ ଭାବରେ ପ୍ରଦର୍ଶନ କରିବାକୁ ପିଲାମାନଙ୍କୁ ଉତ୍ସାହିତ କରାଇଥିଲେ ।

ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ କଳା ଏବଂ ସଂସ୍କୃତି କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ସାହସର ପ୍ରଦର୍ଶନ କରିବା ଦିଗରେ ଉତ୍ସାହିତ କରିଥିଲେ।

ମାଣ୍ଡିଆ ଦିବସ–୨୦୨୫ ଅବସରରେ ସମ୍ବଲପୁର ଜିଲ୍ଲାରେ ମାଣ୍ଡିଆ ଚାଷ ଓ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃଷକ, ସଂଗଠନ ଓ ମହିଳା ସଂଘମାନଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ଶ୍ରେଷ୍ଠ ମାଣ୍ଡିଆ କୃଷକ ଭାବେ ଟାଇଁସର ପଞ୍ଚାୟତର ଥିଆବେର୍ନାର ଦୀନବନ୍ଧୁ କିସାନ, ଶ୍ରେଷ୍ଠ ସଂରକ୍ଷକ କୃଷକ ଭାବେ ଜମନକିରା ବ୍ଲକର ଚୈତନ୍ୟ କିସାନ, ଶ୍ରେଷ୍ଠ ଏଫ୍.ଏ. ଭାବେ ଜମନକିରା ବ୍ଲକର ସମ୍ବଲପୁର ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଇନଷ୍ଟିଟ୍ୟୁଟ୍, ଶ୍ରେଷ୍ଠ ଏଫ୍.ପି.ଓ. ଭାବେ କୁଚିଣ୍ଡାର ଧରଣୀଧରା ଚିଲି ପ୍ରୋଡ଼୍ୟୁସର କମ୍ପାନୀ ଲିମିଟେଡ୍, ଶ୍ରେଷ୍ଠ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଭାବେ ଗୋବିନ୍ଦପୁର ପଞ୍ଚାୟତର ବିଜୟା ସ୍ୱୟଂ ସହାୟିକା ଗୋଷ୍ଠୀ ପୁରସ୍କୃତ ହୋଇଥିଲେ। ଏହି ସମ୍ମାନ ଦ୍ୱାରା ଜିଲ୍ଲାର ମାଣ୍ଡିଆ ଚାଷୀମାନଙ୍କୁ ଉତ୍ସାହିତ କରି ମାଣ୍ଡିଆ ଚାଷର ଉନ୍ନତି, ସଂରକ୍ଷଣ ଓ ନୂତନ ପ୍ରଯୁକ୍ତି ଅବଲମ୍ବନରେ ସହାୟତା ମିଳିବାର ଆଶା କରାଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ସ୍ଵୟଂ ସହାୟିକ ଗୋଷ୍ଠୀ ସଦସ୍ୟା ଏବଂ ଚାଷୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande