
କେନ୍ଦ୍ରାପଡା, ୬ ନଭେମ୍ବର (ହି.ସ.)- ଐତିହାସିକ କଟକ ବାଲିଯାତ୍ରାର ସାମୁଦ୍ରିକ ନୌବାଣିଜ୍ୟ ଇତିହାସ ଏବଂ ସାଂସ୍କୃତିକ ମହତ୍ତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼କୁ ଆଜି କେନ୍ଦ୍ରାପଡ଼ାରେ ସ୍ୱାଗତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ତରଫରୁ ଜିଲ୍ଲା ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକିର ମୋହନ ମାଝୀ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି ଆଜି ମଧ୍ୟାହ୍ନରେ ତିନିମୁହାଣୀ ଛକରେ ମେଢ଼କୁ ସ୍ୱାଗତ କରିଛନ୍ତି । ଐତିହାସିକ ବାଲିଯାତ୍ରା ଏବଂ ଅତୀତର ସାମୁଦ୍ରିକ ନୌବାଣିଜ୍ୟର ଗୌରବମୟ ବାର୍ତ୍ତା ନେଇ ବିଭିନ୍ନ ଜିଲ୍ଲା ଭ୍ରମଣ କରୁଛି ଏହି ମେଢ଼ ।ପ୍ରଜ୍ଞାପନ ମେଢ଼ଟି ଯାଜପୁର ଜିଲ୍ଲାରୁ ଆସି କେନ୍ଦ୍ରାପଡ଼ାରେ ପହଂଚିଛି । କେନ୍ଦ୍ରାପଡ଼ା ପରେ ଜଗତସିଂହପୁର ଜିଲ୍ଲା ଭ୍ରମଣରେ ଯିବ ବୋଲି କଟକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ରବି