
ଭବାନୀପାଟଣା, ୬ ନଭେମ୍ବର (ହି.ସ.)- ଆଉ ନାହାନ୍ତି ଯୁବ ସାମ୍ବାଦିକ ସତ୍ୟ ନାରାୟଣ ଦାସ। ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି କୌଣସି ଏକ ଜରୁରୀ କାମରେ ସେ ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ୱରରୁ ବାହାରି ଭଦ୍ରକ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଯାଜପୁର ଜିଲ୍ଲା ବଇରୀ ଥାନା ନିକଟ ରାସ୍ତା କଡରେ ନିଜର ଏକ ବାଇଗଣୀ ରଙ୍ଗର ସ୍କୁଟି ରଖି ଛିଡା ହୋଇଥିବା ସମୟରେ କଟକରୁ ଚଣ୍ଡିଖୋଲ ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ ନମ୍ବର OD02BT8873 ତାଙ୍କୁ ପଛ ପଟରୁ ଧକ୍କା ଦେବା ଫଳରେ ସେ ୧୦ ଫୁଟ ଦୂରକୁ ଛିଟିକି ପଡି ଅଚେତ ହୋଇ ପଡ଼ିଥିଲେ ଏବଂ ତୁରନ୍ତ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଧକ୍କା ଦେଇ ଦ୍ରୁତ ଗତିରେ ପଳାଇବା ପାଇଁ ଚେଷ୍ଟା କରୁଥିବା ପିକଅପ ଭ୍ୟାନକୁ ସେଠିକାର ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଲୋକେ ପିଛା କରି ଗାଡିକୁ ଅଟକାଇବା ସହ ଡ୍ରାଇଭରକୁ କାବୁ କରି ପୋଲିସ ର ଜିମା ଦେଇଥିଲେ। ଆଜି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବକୁ ପଞ୍ଚନାମା କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ବଇରୀ ଥାନା କେସ ନମ୍ବର ୨୬୯/୨୫, ରେ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଦୁର୍ଘଟଣା ଘଟଇଥିବା ଡ୍ରାଇଭରକୁ କୋର୍ଟ ଫରୱାଡ କରିଛି। କିଏ ଜାଣିଥିଲା କାଲିର ଏହି ଯାତ୍ରା ତାଙ୍କ ଜୀବନର ଶେଷ ଯାତ୍ରା ବୋଲି, ସତେ ଯେପରି ଅଧା ବାଟରେ ଯମ ଜଗିବସିଥିଲା ତାଙ୍କୁ ନେବା ପାଇଁ, ମୃତ୍ୟୁ ପୁଣି ଏପରି ଆସେ, ତାଙ୍କ ଅକାଳ ବିୟୋଗ ଖବର ଚାରିଆଡେ ପ୍ରଚାରିତ ହେବା କ୍ଷଣୀ ସମଗ୍ର କଳାହାଣ୍ଡିରେ ଶୋକର ଛାୟା ଖେଳି ଯାଇଛି।
ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ