
ବାରଣାସୀ, 6 ନଭେମ୍ବର (ହି.ସ.)- ଉତ୍ତର ପ୍ରଦେଶର
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ଦୁଇ ଦିନିଆ ବାରାଣସୀ ଗସ୍ତର ଶେଷ ଦିନ ଗୁରୁବାର କାଶୀର
କୋତୱାଲ ବାବା କାଳଭୈରବ ଏବଂ କାଶୀପୁରାଧିପତି ବାବା ବିଶ୍ୱନାଥଙ୍କ ଦରବାରରେ ଦର୍ଶନ କରିଛନ୍ତତ।
ମୁଖ୍ୟମନ୍ତ୍ରୀ ଦୁଇଟି ମନ୍ଦିରରେ ବିଧିବଦ୍ଧ ମନ୍ତ୍ରୋଚ୍ଚାର ସହ ଦର୍ଶନ-ପୂଜନ କରି ରାଜ୍ୟ ଓ
ଦେଶର ଲୋକମାନଙ୍କ କଲ୍ୟାଣ ଓ ସୁଖ-ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରଥମେ
କାଳଭୈରବ ମନ୍ଦିରରେ ଦର୍ଶନ-ପୂଜନ କରିଥିଲେ। ମନ୍ଦିରରେ ପ୍ରବେଶ ଓ ନିଷ୍କର୍ମଣ ସମୟରେ ସେଠାରେ
ଉପସ୍ଥିତ ଭକ୍ତମାନେ ହର ହର ମହାଦେବ ଧ୍ୱନି କରି ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ
କରିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଭକ୍ତମାନଙ୍କୁ ହାତ ଯୋଡ଼ି ଅଭିବାଦନ କରିଥିଲେ।
ତା’ପରେ ସେ କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଥିଲେ, ଯେଉଁଠାରେ ସେ ମନ୍ଦିରର ଗର୍ଭଗୃହରେ ଷୋଡଶୋପଚାର ବିଧିରେ ପୂଜା କରି
ବାବାଙ୍କ ପବିତ୍ର ଜ୍ୟୋତିର୍ଲିଙ୍ଗର ଅଭିଷେକ ଓ ଆରତି କରିଥିଲେ। ଏହି ସମୟରେ ଦୁଇଟି ମନ୍ଦିର ଓ
ମୁଖ୍ୟମନ୍ତ୍ରୀଙ୍କ ଯାତାୟାତ ମାର୍ଗରେ କଟକଣା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ଏହାର ପୂର୍ବରୁ, ମୁଖ୍ୟମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ବାରାଣସୀ ଆସିଥିଲେ। ବାରାଣସୀ ଗସ୍ତ
ସମୟରେ ସେ ନମୋ ଘାଟରେ ପ୍ରଥମ ଦୀପ ଜଳାଇ ଦେବ ଦୀପାବଳିର ଶୁଭାରମ୍ଭ କରିଥିଲେ। ସେଥିରେ
ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂହ, ରାଜ୍ୟମନ୍ତ୍ରୀ ରବିନ୍ଦ୍ର
ଜୟସୱାଲ, ବିଧାୟକ ଡ଼. ନୀଳକଣ୍ଠ ତିୱାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୂନମ ମୌର୍ୟ ଓ ମହାପୌର ଅଶୋକ ତିୱାରୀ ମଧ୍ୟ ଦୀପ ପ୍ରଜ୍ୱଳନ କରି
ମା ଗଙ୍ଗାଙ୍କୁ ନମନ କରିଥିଲେ।
ଏହାପରେ ସମସ୍ତ ବିଶିଷ୍ଟ
ଅତିଥିମାନେ କ୍ରୁଜରେ ଚଢ଼ି ମା ଗଙ୍ଗାଙ୍କ ଆରତି ସହ ଘାଟଗୁଡିକରେ ସଜାଯାଇଥିବା ଦେବ ଦୀପାବଳିର
ଅଦ୍ଭୁତ ଦୃଶ୍ୟ ଅବଲୋକନ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା