
ବଲାଙ୍ଗିର, ୧୫ ଡିସେମ୍ବର (ହି.ସ.)-
ଆକ୍ସନ ମୋଡ୍ ରେ ପୌର ପ୍ରଶାସନ l ନିକଟରେ ବ୍ରାହ୍ମଣପଡା ଠାରେ ଥିବା ବ୍ଲୁ ଲାଗୁନ ହୋଟେଲ କଲ୍ୟାଣ ମଣ୍ଡପ ଓ ରମାଇ ଟକିଜ ପଛପଟେ ଥିବା ହୋଟେଇକୁ ମୁନିସିପାଲିଟି ବିଭିନ୍ନ କାରଣରୁ ସିଲ୍ କରିବା ସହିତ ୨୦ ଲକ୍ଷ ଟଙ୍କା ସାତ ଦିନ ଭିତରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଏହାପରେ ବଲାଙ୍ଗିର ସହରରେ ସରକାରୀ ନିୟମ ଉଲଂଘନ କରି ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିବା ବ୍ୟବସାୟୀ ପ୍ରତିଷ୍ଠାନ ବିରୋଧରେ ପୌର ପ୍ରଶାସନ ଆକ୍ସନ ମୋଡ୍କୁ ଆସିଛି । ୩ ଦିନ ତଳେ ସହରର ଗୋଟିଏ ହୋଟେଲ ଓ ବିବାହ ମଣ୍ଡପ ସିଲ୍ ସହ ଗୋଟିଏ ହୋଟେଲ୍କୁ ୨୦ ଲକ୍ଷ ଟଙ୍କା ଜୋରିମାନା ନିର୍ଦେଶ ପରେ ନିୟମ ଉଲଂଘନ ଅଭିଯୋଗରେ ପୁଣି ୭ଟି ହୋଟେଲ, ସୋ'ରୁମ୍ ଓ ମଲ୍କୁ ନୋଟିସ ଜାରି କରାଯାଇଛି । ୭ ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି । ପୌର ପ୍ରଶାସନ ଆକ୍ସନ ମୋଜ୍ରେ ଆସିଥିବାରୁ ନିୟମ ଖିଲାପକାରୀ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି ।
ବଲାଙ୍ଗିର ସହର କଳେବର ବୃଦ୍ଧି ପାଇବା ସହ ଦିନକୁ ଦିନ ନୂଆ ନୂଆ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ି ଉଠୁଛି । ସହରର ପ୍ରମୁଖ ଛକ ସହ ଗୁରୁତ୍ବପୂର୍ଣ ରାସ୍ତା ପାର୍ଶ୍ଵରେ ହୋଟେଲ, ଲଜ୍, ସୋ'ରୁମ୍ ଆଦି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ନିର୍ମିତ ହୋଇଛି । କେତେକ ବ୍ୟବସାୟୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆବଶ୍ୟକ କାଗଜପତ୍ର ଓ ଅନୁମତି ନ ନେଇ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇଥିବାରୁ ସରକାରୀ ଆଇନ ଉଲଂଘନ ସହ ବିଭିନ୍ନ ସମୟରେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଆଇନର ଖିଲାପ କରି ଗଢ଼ି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବଲାଙ୍ଗିର ପୌର ପ୍ରଶାସନ ଅଣ୍ଟା ଭିଡ଼ିଛି । ଗତ ୧୨ ତାରିଖରେ ସହରର ୮ ନମ୍ବର ୱାର୍ଡ ବ୍ରାହ୍ମଣପଡ଼ା ସ୍ଥିତ ବ୍ଲୁ-ଲାଗୁନ ବିବାହ ମଣ୍ଡପ ଓ ୧୩ ନମ୍ବର ୱାର୍ଡ୍ ସିନେମାହଲ୍ ରୋଡ୍ ସ୍ଥିତ ହୋଟେଲ ବ୍ଲୁ-ଲାଗୁନକୁ ପୌର ପ୍ରଶାସନ ସିଲ୍ କରିବା ସହ ୮ ନମ୍ବର ୱାର୍ଡ ବ୍ରାହ୍ମଣପଡ଼ା ସ୍ଥିତ ବ୍ଲୁ-ଲାଗୁନ ହୋଟେଲ ଉପରେ ୨୦ ଲକ୍ଷ ଟଙ୍କା ଜୋରିମାନା ପକାଇଥିଲା । ୭ ଦିନ ମଧ୍ୟରେ ଜୋରିମାନା ରାଶି ଜମା ନ କଲେ ହୋଟେଲ ସିଲ୍ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ । ଏହା ସହ ସହରର ବିଭିନ୍ନ ସ୍ଥାନରେ ଗଢ଼ି ଉଠିଥିବା ବ୍ୟବସାୟିକ ପ୍ରତିଷ୍ଠାନ କାଗଜପତ୍ର ଯାଞ୍ଚ ସହ ଖିଲାପକାରୀଙ୍କ ବିରୋଧରେ ପୌର ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ ।
ସହର ଦୁର୍ଗା ମନ୍ଦିର ନିକଟ ହୋଟେଲ ଭ୍ରମର୍ସ, ସୁଦପଡ଼ା ରେଳ ଓଭର ବ୍ରିଜ୍ ନିକଟ ରେନ୍ସେ ବିବାହ ମଣ୍ଡପ, ସୋନପୁର ରାସ୍ତା କଡ଼ ସ୍ଥିତ ହୋଟେଲ ଏସ୍ଏ କିଙ୍ଗ ପ୍ଲାଜା, ଗାନ୍ଧୀନଗରପଡ଼ା ଟିସିଏସ ସୋ'ରୁମ୍ . ପାଟନେଶ୍ୱରୀ ମନ୍ଦିର ନିକଟ ଅରୁନ୍ଧତୀ ଗହଣା ଦୋକାନ, ଭାଗିରଥୀ ଛକ ନିକଟ ରିଲାଏନ୍ସ ମଲ୍କୁ ପୌର ପ୍ରଶାସନ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ୭ ଦିନ ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନକଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ପ୍ରକାଶ କରିଛନ୍ତି । ସମ୍ପୃକ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରୁ କେତେକଙ୍କ ପାର୍କିଂ ସ୍ଥାନ ନଥିବା ବେଳେ ଆଉ କେତେକ କାଗଜପତ୍ରରେ ଖିଲାପ କରିଥିବା ନେଇ ଅଭିଯୋଗ ରହିଥିବା ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ସହରରେ ୬୦-୭୦ରୁ ଅଧିକ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ପାଖରେ ଆବଶ୍ୟକ କାଗଜପତ୍ର ନଥିବା ବେଳେ ଆଇନ ଉଲ୍ଲଙ୍ଘନ କରି ବ୍ୟବସାୟ ଚଳାଇ ଆସିଥିବା ଅଭିଯୋଗ ହୋଇଛି । ଆବଶ୍ୟକ କାଗଜପତ୍ର ଦାଖଲ ପାଇଁ ସମ୍ପୃକ୍ତ ବ୍ୟବସାୟୀଙ୍କୁ ପୌର ପ୍ରଶାସନ ନୋଟିସ ଜାରି କରିଛି । ଅବଧି ମଧ୍ୟରେ ଆବଶ୍ୟକ କାଗଜପତ୍ର ଦାଖଲ ନକଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ଗତ ୧୨ ତାରିଖରେ ହୋଟେଲ, ବିବାହ ମଣ୍ଡପ ସିଲ୍ ସହ ହୋଟେଲକୁ ୨୦ ଲକ୍ଷ ଟଙ୍କା ଜୋରିମାନା ଦାଖଲ ନିର୍ଦେଶ ପରେ ସରକାରୀ ନିୟମ ଉଲଂଘନ କରି ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଥିଲା । ପୌର ପ୍ରଶାସନ ପୁଣି ୫ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍ ଜାରି କରିଛି । ନୋଟିସ ପାଇଥିବା ବ୍ୟବସାୟିକ ପ୍ରତିଷ୍ଠାନ ପୌର ପ୍ରଶାସନକୁ ଆବଶ୍ୟକ କାଗଜପତ୍ର ଦାଖଲ କରିବାରେ ସମର୍ଥ ହେଉଛନ୍ତି ନା ନାହିଁ ଓ ଖିଲାପକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଦେଖିବାକୁ ବାକି ରହିଲା l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ