ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ପାଳିତ
Anual Day Celebration of KV KANDHAMAL
ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ପାଳିତ


କନ୍ଧମାଳ, ୧୫ ଡିସେମ୍ବର (ହି.ସ.)-

ଫୁଲବାଣୀ, ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ସଂଗଠନର ୬୩ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଜି ସକାଳ ୯ଟା ୩୦ ରୁ ୧୧ଟା ୧୫ ପର୍ଯ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସାଂସ୍କୃତିକ ଅଧିକାରୀ ଓ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵରେ ଥିବା ଗଦାଧର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ଯତମ ଅତିଥି ଭାବେ ଶ୍ରୀମତୀ କଳ୍ପଲତା ସାହୁ ଏବଂ ବିଦ୍ୟାଳୟର ପ୍ରାଚାର୍ଯ୍ୟ ନରେଶ ଚନ୍ଦ ଜିନାଟାଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ହୋଇଥିଲା ।

ପ୍ରାଚାର୍ଯ୍ୟ ଶ୍ରୀ ଜିନାଟାଙ୍କ ଦ୍ୱାରା ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସହ ସ୍କାଉଟ୍ ଓ ଗାଇଡ୍ ରଙ୍ଗିନ ପାର୍ଟି ଦ୍ୱାରା କରାଯାଇଥିଲା। ପରେ ପ୍ରାଚାର୍ଯ୍ୟ ମହୋଦୟ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ସହ ସଂସ୍ଥାର ଶିକ୍ଷାଗତ ସଫଳତା ଓ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ଏବଂ ପ୍ରଧାନଶିକ୍ଷକଙ୍କ ସହଯୋଗରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନ ସହ ସ୍ୱାଗତ କରାଯାଇଥିଲା। ଆଲୁମ୍ନି ଭାବେ ବିଶ୍ୱଜିତ ଦାସ (କାର୍ଯ୍ୟାଳୟ ସହାୟକ, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, ଫୁଲବାଣୀ) ଓ ଉମାକାନ୍ତ ପାଢ଼ୀ (ଲ୍ୟାବ୍ ଟେକ୍ନିସିଆନ୍, ଜିଲ୍ଲା ଚିକିତ୍ସାଳୟ, ଫୁଲବାଣୀ) ନିଜ ଅନୁଭବ କହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ। ବିଶେଷ ଅତିଥି ଭାବେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ହାଇଦ୍ରାବାଦ ସମ୍ଭାଗର ପୂର୍ବଛାତ୍ରୀ ଶ୍ରୀମତୀ କଳ୍ପଲତା ସାହୁ (ବର୍ତ୍ତମାନ ଫାଇନାନ୍ସ କମ୍ ଲଜିଷ୍ଟିକ୍ କନସଲଟାଣ୍ଟ, ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲ, ଫୁଲବାଣୀ) ତାଙ୍କ ଭାଷଣରେ କେଭିଏସ୍‌ ର ଶିକ୍ଷା ତାଙ୍କ ଜୀବନ ଗଢ଼ିବାରେ କିପରି ସାହାଯ୍ୟ କରିଛି ତାହା ଉଲ୍ଲେଖ କରିଥିଲେ। ମୁଖ୍ୟ ଅତିଥି ଗଦାଧର ପାତ୍ର ତାଙ୍କ ଅଭିଭାଷଣରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୂମିକା ଓ ଗୁଣାତ୍ମକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଜୀବନ ପାଇଁ ପ୍ରେରିତ କରିଥିଲେ।

ଶେଷରେ ବିଦ୍ୟାଳୟର ଶିକ୍ଷକ ବିବେକାନନ୍ଦ ଦାସଙ୍କ ଦ୍ୱାରା ସମସ୍ତ ଅତିଥି ମାନଙ୍କୁ, ଛାତ୍ରଛାତ୍ରୀଙ୍କୁ ଏବଂ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ ସହ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande