ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ୩୭ତମ ବାର୍ଷିକ ଉତ୍ସବ
ଜୟପୁର, ୧୫ ଡିସେମ୍ବର (ହି.ସ.)-ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ଜୟପୁର ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ୫ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ସମୁଦାୟ ୨୦ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ସର୍ବ
ତରୁଣ ପ୍ରଜ୍ଞା ଭାରତୀ, ଜୟପୁରର ୩୭ତମ ବାର୍ଷିକ ଉତ୍ସବ


ଜୟପୁର, ୧୫ ଡିସେମ୍ବର (ହି.ସ.)-ତରୁଣ ପ୍ରଜ୍ଞା ଭାରତୀ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ଜୟପୁର ଜୟନଗର ସ୍ଥିତ ସଙ୍ଗମ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ଦ୍ୱାରା ପୂର୍ବରୁ ୫ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ସମୁଦାୟ ୨୦ଗୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ସର୍ବ କନିଷ୍ଠ, କନିଷ୍ଠ, ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ଏବଂ ସାଧାରଣ ବର୍ଗର ପୁରୁଷ ଓ ମହିଳା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସଭାପତି ତପନ କିରଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବେ ଜୟପୁରର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ, ବିଶିଷ୍ଟ ସମାଜସେବୀ ପ୍ରକାଶ ଚନ୍ଦ୍ର ନାୟକ ଓ ପତଞ୍ଜଳି ଯୋଗପୀଠର ରାଜ୍ୟ ସହପ୍ରଭାରୀ ଶ୍ରୀମତୀ ଜାନକୀ ପାଣିଗ୍ରାହୀ ଯୋଗଦାନ କରି ବିଜେତା ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ଇତିମଧ୍ୟରେ ସାଧାରଣ ସମ୍ପାଦକ ଅଜୟ କୁମାର ମଲିକ ଚଳିତ ବର୍ଷର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ୨ଟି ସ୍ୱତନ୍ତ୍ର ପୁରସ୍କାର ନୂତନ ଭାବେ ପ୍ରଦାନ କରାଯାଇଥିଲା। ତନ୍ମଧ୍ୟରୁ ପ୍ରଥମେ ଚଳିତ ବର୍ଷର ସର୍ବାଧିକ ପ୍ରତିଯୋଗିତାର ବିଜେତା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ସାରଦା ବିହାରର ପ୍ରତୀକ୍ଷା ପ୍ରଧାନଙ୍କୁ ଚାମ୍ପିଅନ୍ ଅଫ ଦ ୟିଅର ଓ ଦ୍ଵିତୀୟରେ ସର୍ବାଧିକ ବିଜେତା ଥିବା ବିଦ୍ୟାଳୟ ଯଥା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସାରଦା ବିହାରର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ସେଠିଙ୍କୁ ସ୍କୁଲ ଅଫ ଦ ୟିଅର ଭାବେ ଓ ତତସହ ୧୯ ଜଣ ବିଚାରକ ମାନଙ୍କୁ ମଞ୍ଚରେ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାତା ସ୍ବର୍ଗତ ଡକ୍ଟର ଗଙ୍ଗାଧର ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଜୟପୁରର ପ୍ରଖ୍ୟାତ ଚକ୍ଷୁ ବିଶେଷଜ୍ଞ ଡାକ୍ତର ଡି. ହରିକ୍ରିଷ୍ଣା ଓ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଦ୍ବୟଙ୍କୁ ଯୁଗ୍ମ ଭାବେ ଡ. ଗଙ୍ଗାଧର ନନ୍ଦ ଆଦର୍ଶ ଦମ୍ପତ୍ତି ସମ୍ମାନ, ଅବସରପ୍ରାପ୍ତା ଶିକ୍ଷକ ତଥା ସମାଜସେବୀ ଶ୍ରୀମତୀ ବିନୋଦିନୀ ସାନ୍ତ୍ରାପାତ୍ରଙ୍କୁ ଡ. ଗଙ୍ଗାଧର ନନ୍ଦ ବିଶିଷ୍ଟ ସମାଜସେବୀ ସମ୍ମାନ, ବିଶ୍ୱ ଜାତିସଂଘରେ ଭାରତର ପ୍ରତିନିଧିତ୍ବ କରିଥିବା ଜୟପୁର ଜନ୍ମିତ ଡାକ୍ତର ଶତାବ୍ଦୀ ମିଶ୍ରଙ୍କୁ ଡ. ଗଙ୍ଗାଧର ନନ୍ଦ ମାଟିର ମହକ ସମ୍ମାନ ଏବଂ ବହୁ ପ୍ରତିଭାଧାରୀ ତଥା ସମାଜସେବୀ ଶ୍ରୀ ରବି ଅନକାଙ୍କୁ ଡ଼. ଗଙ୍ଗାଧର ନନ୍ଦ ବିସ୍ମୟ ପ୍ରତିଭା ସମ୍ମାନ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସଂଗଠନ ସମ୍ପାଦିକା ସବିତା ତ୍ରିପାଠୀଙ୍କ ସହ ସବିତା ଶତପଥି ଓ ଲିପିକା ଦଳାଇ ଉପରୋକ୍ତ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମାନପତ୍ର ପାଠ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଦର୍ଶକଙ୍କ ଗହଣରେ ସ୍ବର୍ଗତ ଗଙ୍ଗାଧର ନନ୍ଦ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣାରବିନ୍ଦରେ ଧୂପ, ଦୀପ, ଅର୍ଘ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୋଷାଧ୍ୟକ୍ଷ ରବୀନ୍ଦ୍ର ମହାରଣା ବେଦମନ୍ତ୍ର ପାଠ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଓଡିଶୀ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଅଦ୍ଵିତା ସାହୁ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ପ୍ରମୁଖ ସଦସ୍ୟା ତପସ୍ୱିନୀ ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ସଦସ୍ୟ ବିପିନ କୁମାର ପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଅନୁଷ୍ଠାନର ଉପସଭାପତି ରାମ ଶଙ୍କର ଷଡଙ୍ଗୀଙ୍କ ସହ ପ୍ରମୁଖ ସଦସ୍ୟ ଜଗନ୍ନାଥ ପାଣିଗ୍ରାହୀ, କୃଷ୍ଣ କେଶବ ଷଡଙ୍ଗୀ, କ୍ଷେତ୍ରମୋହନ ନାୟକ ଓ ଆଇନ ଉପଦେଷ୍ଟା ଜି.ମହେଶ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ଏଥିସହ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ପାର୍ବତୀ ଷଡଙ୍ଗୀ, ମୁ. ସରିଫ, ଡ଼. ରାଜେନ୍ଦ୍ର ପାଢ଼ୀ, ଭାସ୍କର ସାମନ୍ତରାୟ ଓ ଆଇନଜୀବୀ ମଦନ ନାୟକ ପ୍ରଭୃତିଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଦର୍ଶକଙ୍କ ଗହଣରେ ଉପସ୍ଥିତ ଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande