

ପୁରୀ, ୧୫ ଡିସେମ୍ବର (ହି.ସ.)- ପୁରୀ ହେବ ସରସ ସୁନ୍ଦର ସହର । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସି ବିଚ୍ ରାସ୍ତା ପାର୍ଶ୍ବରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମୂଲ୍ଯବାନ ହୋଟେଲ ମାଳ ମାଳ ଗଢି ଉଠିଲାଣି । ଅନେକ ସରକାରୀ କାର୍ଯ୍ୟାଳୟ ଭଡାରେ ଚାଲିଛି । ସରକାରଙ୍କ ଅତିଥି ଗୃହ ହାତ ଗଣତି ଥିବାବେଳେ ଏବେ ସମୁଦ୍ରକୂଳ ପୁରୀ ଗୋଲଡେନ ଟ୍ରୀ ହୋଟେଲର ଡାହାଣ ପଟେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଏକ ପୁରୁଣା କୋଠା । ସମୁଦ୍ରକୂଳ ରାସ୍ତାକୁ ଲାଗି ଏହି କୋଠାଘର ରହିଛି । ଏହି କୋଠାଘର ଦୁଇମହଲା ଓ ତ୍ରିଭୁଜ ଆକାରରେ ନିର୍ମିତ ହୋଇଛି । ଏହି ମୂଲ୍ୟବାନ କୋଠାଘରକୁ ସରକାର ଦଖଲକୁ ନେଇଥିଲେ । ଏଠାରେ ସରକାରୀ କାର୍ଯ୍ୟାଳୟ କିମ୍ବା ଅତିଥି ଭବନ ପାଇଁ ଯୋଜନା ରହିଥିଲା । ସେହି ଘରଟି ଏବେ ଭୂତକୋଠି ପରି ପଡି ରହିଛି । ଘର ଆଗରେ ଅରଖଗଛ, ଲାଜକୁଳୀ ଲତା ଓ ଅନାବନା ଗଛ ସମୁଦ୍ରକୂଳ ସୌନ୍ଦର୍ଯ୍ୟକୁ ପ୍ରତିହତ କରୁଛି । ଫରେଷ୍ଟ ଲୋକେସନ ମାନଚିତ୍ରରେ ଘରଟି ପୁରୀ ପୌରସଂସ୍ଥା ୧୧ ନମ୍ବର ଓ୍ବାର୍ଡ ଥାନା ସି ବିଚ୍, ଖାତା ନମ୍ବର ୨୧ ଓ ପ୍ଲଟ ନମ୍ବର ୧୧୮୨, ଏରିଆ ୨୭ ଡିସିମିଲ ପ୍ରଦର୍ଶିତ ହେଉଛି । ଏହାର ମାଲିକ ଖଗେନ୍ଦ୍ର ବାଳା ଦାସ, ସ୍ବାମୀ ଚଣ୍ଡୀ ଚରଣ ଦାସ, ନିଜ ଗାଁ ଜୁଗଲ କୁଟୀର ପ୍ରଦର୍ଶିତ ହେଉଛି । ଘରର ମୁଖ୍ଯ ପ୍ରବେଶଦ୍ଵାର ଉପରେ ଆକାଂକ୍ଷା ଓ ପ୍ରଶୀର ରାୟ ଚୌଧୁରୀ ଲେଖା ଅଛି । ଘର ଆଗରେ ପର୍ଯ୍ୟଟକ ଲୁଗା ଶୁଖାଉଛନ୍ତି । ଘର ଭିତରେ ଅପରିଷ୍କାର ହେବା ସହ ମଦ ବୋତଲ ପଲିଥିନ, ପ୍ଲାଷ୍ଟିକ ବୋତଲ ଚିରା ଗନ୍ଥା ପଡି ରହିଛି । ଘରର ବାଡି ପଟେ ଖୋଲା ଯାଗା ଥିବାବେଳେ ଅନାବନା କଣ୍ଟାଗଛ ମାଡିଛି । ହାଡି ଗୋହିରି ପାଇଁ ବାଟ ରହିଛି । ଦୁଇମହଲା କୋଠାଘରର କବାଟ ଝରକା ନାହିଁ । ପ୍ରାୟ ୩୦ କୋଟି ଟଙ୍କାର ଏହି ଯାଗାଟି ସମୁଦ୍ରକୁ ଚାହିଁ ରହିଛି । ସମୁଦ୍ରକୂଳେ ବ୍ଲୁ ଫ୍ଲାଗ ବିଚ ବଢୁଥିବା ବେଳେ ରାସ୍ତା ଉପରେ ଏହି ଅପରିଷ୍କାର ଘରଟି ପର୍ଯ୍ୟଟକଙ୍କୁ ବ୍ୟଥିତ କରୁଛି । କେତେକ ଉଠାଦୋକାନୀଙ୍କ ଭଙ୍ଗା ଖଟ ପଡି ରହିଛି । ସଂଧ୍ଯା ପରେ ସେଠାରେ ମଦ ଆସର ଜମୁଛି । ଘର ଭିତରେ ଗାଧୁଆ ଘର, ରୋଷେଇ ଘର ଓ ସିମେଣ୍ଟ ନିର୍ମିତ ବେସିନ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି । ରାଜ୍ଯ ସରକାର ଓ ଜିଲ୍ଲା ପ୍ରଶାସନ ଏଠାରେ ଅତିଥି ଗୃହ ନିର୍ମାଣ କରିବା ପାଇଁ ପର୍ଯଟକ ଓ ଅଞ୍ଚଳବାସୀ ଆଲୋଚନା କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ