
ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୬ ଡିସେମ୍ବର (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ସାଂସଦ, ବିଧାୟକ ତଥା ବିଜେପିର ଏକ ପ୍ରତିନିଧି ଦଳ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି । ଓଡ଼ିଶାର ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରେ ଉଷୁନା ଚାଉଳ ଉଠାଣ ପରିମାଣ ୨୦ ଲକ୍ଷ ମେଟ୍ରିକ ଟନରୁ ବଢାଇ ୨୫ ଲକ୍ଷ ମେଟ୍ରିକ ଟନ କରିବା ପାଇଁ ଅନୁରୋଧ କରିଛନ୍ତି ।
ଏ ସମ୍ପର୍କିତ ଏକ ପତ୍ର ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି, ଯେଉଁଥିରେ ଉଲ୍ଲେଖ ରହିଛି ୨୦୨୪-୨୫ ବର୍ଷ ପାଇଁ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରାଯାଇଛି । ଏଥିପାଇଁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଏହି ଧାନ ସଂଗ୍ରହ ପରିମାଣ ବୃଦ୍ଧି ରାଜ୍ୟର ଚାଷୀ ସମାଜର ଆତ୍ମବିଶ୍ୱାସକୁ ବଢାଇବା ସହ ସୁରୁଖୁରୁରେ ସଂଗ୍ରହ କାର୍ଯ୍ୟକୁ ସୁନିଶ୍ଚିତ କରିଛି ।
ତେବେ ଓଡ଼ିଶାରେ ବିଶେଷ ଭାବରେ ଉଷୁନା ଚାଉଳ ଅଧିକ ଉତ୍ପାଦନ ହେଉଥିବା ବେଳେ ୨୦୨୫-୨୬ ଖରିଫ ଋତୁ ପାଇଁ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଯାଇଥିବାରୁ ଉଷୁନା ଚାଉଳର ତୁରନ୍ତ ଉଠାଣ ନିତ୍ୟାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ, କେନ୍ଦ୍ରୀୟ ପୁଲ ଅଧୀନରେ ଉଭୟ ଖରିଫ ଓ ରବି ଋତୁ ପାଇଁ ଓଡ଼ିଶାର ଉଷୁନା ଚାଉଳ ଉଠାଣ ପରିମାଣକୁ ବର୍ତମାନର ୨୦ ଲକ୍ଷ ମେଟ୍ରିକ୍ ଟନକୁ ବଢାଇ ୨୫ ଲକ୍ଷ ମେଟ୍ରିକ୍ ଟନ କରିବା ପାଇଁ ଅନୁରୋଧ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା ବଳକା ଥିବା ଏହି ଉଷୁନା ଚାଉଳର ଶୀଘ୍ର ଉଠାଣ ହେଲେ ଓଡ଼ିଶାର ଚାଷୀମାନେ ବିଶେଷ ଭାବରେ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା