
ଭୁବନେଶ୍ୱର, 17 ଡିସେମ୍ବର (ହି.ସ.) : ରାଜଧାନୀ ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ‘ଏଆଇ ଇନସାଇଟ ’ କାର୍ଯ୍ୟକ୍ରମରେ ଓଡ଼ିଶାର ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏନଆଇସି ର ଉପ-ମହାନିର୍ଦ୍ଦେଶକ ଡ. ଅଶୋକ କୁମାର ହୋତା ମଧ୍ୟ ଉପସ୍ଥିତ ଥିଲେ।
ମନ୍ତ୍ରୀ ଡ. ମହାଲିଙ୍ଗ ଏନଆଇସି ପକ୍ଷରୁ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା (ଏଆଇ )ର ପ୍ରୟୋଗ ଏବଂ ଗବେଷଣାକୁ ନେଇ ନିଆଯାଇଥିବା ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ, ଦୈନନ୍ଦିନ ଜୀବନରେ ଏଆଇ ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ବିଶ୍ୱସ୍ତରର ଏହି ଆବଶ୍ୟକତା ପୂରଣ ପାଇଁ ଭାରତ ପୂର୍ଣ୍ଣ ଭାବେ ପ୍ରସ୍ତୁତ।
ଡ. ମହାଲିଙ୍ଗ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଏଆଇ ନୀତି–୨୦୨୫, କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଏଆଇ ର ବ୍ୟବହାର ଓ ସଚେତନତା ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।
ସେ କହିଛନ୍ତି ଯେ, ଉନ୍ନତ ଭିତ୍ତିଭୂମି ଓ ସୁଦୃଢ଼ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶାକୁ ଏକ ଅଗ୍ରଣୀ ଏଆଇ ଇକୋସିଷ୍ଟମ୍ ହବ୍ ଭାବେ ଗଢ଼ି ତୋଳିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ। ସମସ୍ତଙ୍କ ସହଯୋଗ ଓ ପ୍ରୟାସରେ ଏହି ଲକ୍ଷ୍ୟ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ