
ଭୁବନେଶ୍ୱର,୧୭ ଡିସେମ୍ବର(ହି.ସ)- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପ୍ରସଙ୍ଗରେ ବିଜେଡ଼ିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ଦଳର ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ଓଡ଼ିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହେଲା ପରେ ବିଜେଡ଼ି ମାନସିକ ଅବସାଦର ଚରମ ସୀମାରେ ପହଂଚିଛି । ଶେଷ ଅବସ୍ଥାରେ ଯେମିତି କଂସଙ୍କୁ ଚାରି ଆଡ଼େ କୃଷ୍ଣ କୃଷ୍ଣ ଦେଖାଯାଉଥିଲେ, ସେମିତି ବିଜେଡ଼ିକୁ ଏବେ ଚାରିଆଡ଼େ ମୋହନ ମୋହନ ଦେଖାଯାଉଛି ।
ଓଡ଼ିଶାବାସୀ ବିଜେଡ଼ିକୁ ପ୍ରମୁଖ ବିରୋଧୀ ଦଳ ଆସନରେ ବସାଇଛନ୍ତି । ଗତ ୧୭ ମାସ ଭିତରେ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ଓ ବିରୋଧୀ ଦଳ ଉପନେତା ଓଡ଼ିଶା ସ୍ୱାର୍ଥ ସମ୍ବନ୍ଧିତ କେତେ ପ୍ରସଙ୍ଗ ଉଠାଇଛନ୍ତି ବୋଲି ପ୍ରଶ୍ନ କଲା ବିଜେପି ।
ଓଡ଼ିଶା ସରକାର ଲୋକଙ୍କ ବିକାଶ ପାଇଁ ଲାଗିଛନ୍ତି । କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରଖି ଓଡ଼ିଶା ସରକାର କାମ କରୁଛନ୍ତି । ସେହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଚାଲିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାର ବଙ୍ଗଳା ପାଇଛନ୍ତି । କେବଳ ଓଡ଼ିଶା ନୁହେଁ, ଆହୁରି ୮ ରାଜ୍ୟ ମଧ୍ୟ ବଙ୍ଗଳା ପାଇଛନ୍ତି ।
ବିଜେଡ଼ି ବୋଧେ ଭୁଲି ଯାଉଛି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ଘର ସହ ସାମ୍ନାରେ ଥିବା ରାସ୍ତାକୁ ମିଶାଇ ବ୍ୟାରିକେଡ କରି ରାସ୍ତା ବନ୍ଦ କରିଥିଲେ । ଏୟାରପୋର୍ଟ ପାଚେରୀ ଭାଙ୍ଗି ଥିଲେ । ତାଙ୍କ ସରକାର ବେଳେ ଗୁମାସ୍ତାଙ୍କ ପାଇଁ କେତେ ପୋଲିସ ସୁରକ୍ଷାରେ ରହୁଥିଲେ ତାହା ବିଜେଡ଼ି ମନେ ପକାଇବା ଦରକାର ।
ବିଜେଡି ଅସ୍ତଗାମୀ ରାଜନୈତିକ ଦଳ। ତେଣୁ ମାନସିକ ଭାରସାମ୍ୟ ହରାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛି ବିଜେଡ଼ି । ଏହା ବିଜେଡ଼ିର ହତସାର ପରିଚୟ । ଓଡିଶାରୁ ଲୋପ ପାଇବାକୁ ଯାଉଛି ବିଜେଡ଼ି । ସେଥିପାଇଁ ବାଚଳାମି କରୁଛି ବିଜେଡ଼ି । କେହି ଆଉ ବିଜେଡ଼ିକୁ ଯାଉନାହାଁନ୍ତି । ଗତ କିଛି ମାସ ହେବ ପଞ୍ଚାୟତ ସ୍ତରୀୟ ନେତାଙ୍କ ଠାରୁ ଆରମ୍ଭ କରି ସାଂସଦ ପର୍ଯ୍ୟନ୍ତ ବିଜେଡ଼ି ଛାଡ଼ିଲେଣି । ଗଣମାଧ୍ୟମରେ ରହିବା ପାଇଁ ଏଭଳି କହୁଛି ବିଜେଡ଼ି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା