
କେନ୍ଦୁଝର, 17 ଡିସେମ୍ବର (ହି.ସ.) କେନ୍ଦୁଝର ମହିଳା ମହାବିଦ୍ୟାଳୟର ଅତିଥି ଆଧ୍ୟାପିକା ଙ୍କର ଅସ୍ୱାଭାବିକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ମହିଳା ମହାବିଦ୍ୟାଳୟର ହୋମ ସାଇନ୍ସର ଅଧ୍ୟାପିକା ପ୍ରିୟଙ୍କା ଦାଶ ଗତ ୨ବର୍ଷ ପୂର୍ବେ ଏଠାରେ ଅଧ୍ୟାପନା କରୁଥିଲେ l ତାଙ୍କ ଘର ବାଲେଶ୍ଵର ଜିଲ୍ଲା ତାଳପଦା ଗାଁରେ । ଆଜି ସକାଳେ ପ୍ରିୟଙ୍କା, ନିଜ ଘର ଚାବି ବନ୍ଦ କରି କଲେଜ ଯିବା ସମୟରେ ହଠାତ୍ ତଳେ ପଡି ଯାଇଥିଲେ । ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରଯାଇଥିଲା। ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଘର ଲୋକଙ୍କୁ ଫୋନ୍ କରି ଜଣେ ନିଜକୁ ଅଧ୍ୟାପକ ବୋଲି କହି ଫୋନ୍ କରିବା ପରେ ବାଲେଶ୍ବରରୁ ଘରଲୋକ ପହଞ୍ଚିଥିଲେ । ହେଲେ, ମୃତ ପ୍ରିୟଙ୍କାଙ୍କ ଗଳାରେ ଏକ ଚିହ୍ନ ଥିବା ସେମାନେ ହତ୍ୟା ଅଭିଯୋଗ କରିଛନ୍ତି । ପ୍ରିୟଙ୍କାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ପରିବାର ଲୋକେ କେନ୍ଦୁଝର ଟାଉନ୍ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି l ଘର ଲୋକଙ୍କୁ ଫୋନ୍ କରିଥିବା ବ୍ୟକ୍ତି ନିଜକୁ ଅଧ୍ୟାପକ କହିଥିବା ବେଳେ, ସେହି ବ୍ୟକ୍ତି ଜଣକ କେନ୍ଦୁଝର ପୁରୁଣା ବଜାର ର ରୁଦ୍ର ମିଶ୍ର ବୋଲି ଏତଲାରେ ପ୍ରିୟଙ୍କାଙ୍କ ଘର ଲୋକେ ପୋଲିସକୁ ଜଣାଇଛନ୍ତି । ଏହି ବ୍ୟକ୍ତିଙ୍କ ଉପରେ ସେମାନେ ସନ୍ଦେହ ପ୍ରକଟ କରିଛନ୍ତି l ରୁଦ୍ର ମିଶ୍ର, ପ୍ରିୟଙ୍କାଙ୍କୁ ହତ୍ୟା କରିଥିବା ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ ଦଣ୍ଡବିଧାନ କରିବାକୁ ନିବେଦନ କରିଛନ୍ତି ପ୍ରିୟଙ୍କାଙ୍କ ପରିବାର ଲୋକେ । ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA