
ଜୟପୁର, ୧୭ ଡିସେମ୍ବର (ହି.ସ.) - ଜୟପୁର ୧ ନମ୍ବର ୱାର୍ଡର ଜଣେ ମହିଳାଙ୍କ ଘର ଉପରେ ୩୩ କେଭି ଲାଇନ ପୋଲ କୁ ହଟାଇବାକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ନଶୁଣିବାରୁ ଆଜି ବାମୁଣୀ ଗାଁ ସ୍ଥିତ ଟିପି ସାଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ କାର୍ଯ୍ୟାଳୟରେ ମହିଳା ଏବଂ ତାଙ୍କ ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣକ ହେଲେ ସଂଯୁକ୍ତା ସାହୁ। କିଛି ବର୍ଷ ହେଲା ସେ ଜୟନଗର ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ବାନ୍ଧି ରହୁଛନ୍ତି। ଘର ଉପରେ ୩୩ କେଭି ଲାଇନ ଯାଇଥିବା ଯୋଗୁଁ ବାରମ୍ବାର ଘରର ଲୋକ କରେଂଟ ଝଟକା ଖାଇବା ସହ ଘରର ଆସବାବ ପତ୍ର ପୋଡିଯାଉଥିବା ଅଭିଯୋଗ କରିଛନ୍ତି। ମହିଳା ଜଣକ କର୍କଟ ପିଡିତା ଥିବା ବେଳେ ତାଙ୍କ ଘରେ ଥିବା ତାଙ୍କ ମା ଜଣେ ଶାରିରିକ ଅକ୍ଷମ ଅଟନ୍ତି। ୨୦୧୯ ମସିହାରେ ମହିଳା ଜଣକ ଘରେ ନଥିବା ସମୟରେ ଟାଟା ପା୍ୱୱାରର କର୍ମଚାରୀ ମାନେ ଘର କାନ୍ଥକୁ ଲଗାଇ ୩୩ କେଭି ତାର ବିନା ଅନୁମତିରେ ନେଇଯାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଏହି ୩୩ କେଭି ତାର ଓ ପୋଲ ଉଠାଇବାକୁ ମହିଳା ଜଣକ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ସାଉଥକୋ କାର୍ଯ୍ୟାଳୟ ବୁଲିବା ପରେ ମଧ୍ୟ କିଛି ଉପାୟ ନ ବାହାରିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପଠାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୋଗ ଶୁଣିବା ପରେ କୋରାପୁଟ ଜିଲ୍ଲାପାଳଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଜଣାଇଲେ। ଟାଟା ପା୍ୱାର ପକ୍ଷରୁ ୧ଲକ୍ଷ ୨୦ ହଜାର ଟଙ୍କା ଜମା କରାଇଲେ ପୋଲ ସ୍ଥାନାନ୍ତର କରାଯିବ ବୋଲି ଚିଠି ଆସିବା ପରେ ମହିଳା ଜଣକ ଜିଲ୍ଲାପାଳଙ୍କୁ ଭେଟିଥିଲେ। ଜିଲ୍ଲାପାଳ ଏନେଇ କିଛି କରି ହେବ ନାହିଁ କିନ୍ତୁ ମୁଁ ୩୦ ହଜାର ଟଙ୍କା ସାହାଯ୍ୟ କରିପାରିବି ବୋଲି କହିଥିଲେ। ମହିଳା ଜଣକ କର୍କଟ ପିଡିତା ଥିବା ଯୋଗୁଁ ଏତେ ଗୁଡିଏ ଟଙ୍କା କେମିତି ଯୋଗାଡ କରିବ ଭାବି ଆତ୍ମହତ୍ୟାକୁ ଆପଣାଇଥିଲେ। ଆଜି ପେଟ୍ରୋଲ ଧରି ଏକଜୁକଟିଭ ଇଞ୍ଜିନିୟରଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଚି ଅଟକାଇଥିଲେ। ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ବରୁଣ ଚୌଧୁରୀ ପହଁଚି ଏନେଇ ଉଚ୍ଚ ପଦସ୍ତ ଅଧିକାରୀଙ୍କ ସହ କଥା ହୋଇ ସମାଧାନର ବାଟ ବାହାର କରାଯିବ ବୋଲି କହିବା ପରେ ମହିଳା ଜଣକ ଘଟଣା ସ୍ଥଳରୁ ଯାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି