
ପୁରୀ, ୧୭ ଡିସେମ୍ବର (ହି.ସ.) - ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଇନଷ୍ଟାଗ୍ରାମ ଆଇଡିରେ ଭାଇରାଲ ହୋଇଛି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କ ଫଟୋ ଓ ଗର୍ଭଗୃହର ଦୃଶ୍ୟ ଘୁରି ବୁଲୁଛି । ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ ସିଂଙ୍କ କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ଶ୍ରୀମନ୍ଦିର ଚାରିଦ୍ୱାରରେ ପୋଲିସ ପକ୍ଷରୁ କଡ଼ା ଯାଂଚ କରାଯାଉଥିବାବେଳେ କିଭଳି ମୋବାଇଲ ଶ୍ରୀମନ୍ଦିର ଭିତରକୁ ନେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବା ବେଳେ ଶ୍ରୀମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ମୋବାଇଲ ସମେତ କୌଣସି ଜିନିଷ ଭକ୍ତ ମାନେ ଶ୍ରୀମନ୍ଦିର ଭିତରକୁ ନନେବା ପାଇଁ କଟକଣା ରହିଛି । କଟକଣା ସତ୍ୱେ ଶ୍ରୀମନ୍ଦିର ଭିତରକୁ କିଭଳି ମୋବାଇଲ ପ୍ରବେଶ କରୁଛି ସେନେଇ ପ୍ରଶ୍ନ ଉଠାଇଛନ୍ତି ସେବାୟତ ଓ ଭକ୍ତ । ଅନ୍ୟପଟେ ଶ୍ରୀମନ୍ଦିରର ପ୍ରଚଳିତ ଆଇନରେ ସଂଶୋଧନ ସହିତ ଶ୍ରୀମନ୍ଦିର ଚାରି ଦ୍ୱାରରେ ଅତ୍ୟାଧୁନିକ ସ୍କାନିଙ୍ଗ ମେସିନ୍ ଲଗାଇବା ପାଇଁ ଭକ୍ତ ମାନେ ଦାବି କରିଛନ୍ତି । ଶ୍ରୀମନ୍ଦିରକୁ ବାରମ୍ବାର ମୋବାଇଲ ପ୍ରବେଶ କରୁଛି । ପୁରୀ ଏସପି ପ୍ରତୀକ ସିଂ କହିଛନ୍ତି, ଶ୍ରୀମନ୍ଦିର ଗର୍ଭ ଗୃହର ଫଟୋ ଭାଇରାଲ ହୋଇଥିବା ଗଣମାଧ୍ୟମରୁ ସୂଚନା ପାଇଲୁ । ଏହି ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏକ ମାମଲା ରୁଜୁ କରିଛୁ । ଯାହାର ମାମଲା ନମ୍ବର ୨୩୩/୨୫ । ଶ୍ରୀଜଗନ୍ନାଥ ଟେମ୍ପୁଲ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଶ୍ରୀମନ୍ଦିର ଶ୍ରୀଜଗନ୍ନାଥ ଟେମ୍ପଲୁ ଆକ୍ଟରେ ଛତା ଯୋତା ,ମୋବାଇଲ ଚଷମା କ୍ୟାମେରା ଓ ଫଟୋ ଉଠାଇବା ସମ୍ପର୍କରେ ଯେଉଁ ଆଇନ ରହିଛି ତାହା ଯଥେଷ୍ଟ ହେଉନାହିଁ । ଏଣୁ କିଛି କଡା ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିନ୍ତା କରୁଛି । ଶ୍ରୀମନ୍ଦିର ଉପରେ ବାରମ୍ବାର ଡ୍ରୋନ ଉଡିବା, ଚଷମା କ୍ୟାମେରା ନେଇ ମନ୍ଦିର ଭିତରକୁ ଯିବା ଆଦି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ଅଭିଯୁକ୍ତ ଅଣ୍ଡର ଟେକିଂ ଦେଇ ଖସିଯାଉଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ