
ଧର୍ମଶାଳା,୧୭ ଡିସେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ଅବିଭକ୍ତ ବ୍ରହ୍ମବରଦା ରାସ୍ତାଘାଟରେ ଯାତୟତ ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ପ୍ରଶାସନ କାହିଁକି ପଛ ଘୁଂଚା ଦେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅବିଭକ୍ତ ବ୍ରହ୍ମବରଦା ଏକ ବ୍ୟବସାୟ ପ୍ରତିଷ୍ଠାନଭାବେ ବେଶ୍ ପରିଚିତ । ଜିଲାର ଏହା ମୁଖ୍ୟ କେନ୍ଦ୍ର ମଧ୍ୟ ସ୍ଥଳ । ବରୁହାଁ ବାଲିଚନ୍ଦ୍ରପୁର ଏବଂ ଜାରକା- ବ୍ରହ୍ମବରଦାକୁ ସଂଯୋଗ କରୁଛି । ଏହି ଅଂଚଳକୁ ଦୈନଦିନ ଶହଶହ ଜନସାଧାରଣ ଓ ବ୍ୟବସାୟୀମାନେ ନିର୍ଭର କରନ୍ତି । ଏହା ସହିତ ବ୍ରହ୍ମବରଦାରେ ୧୦ରୁ ଉର୍ଦ୍ଧ ସରକାରୀ ଓ ବେସରକାରୀ ବିଦ୍ୟାଳୟ ,୨ଟି ମହାବିଦ୍ୟାଳୟ,୩ଟି ରାଷ୍ଟାୟତ ବ୍ୟାଙ୍କ ଓ ୩ ଗୋଟି ଘରୋଇ ଫାଇନାସ୍ କମ୍ପାନୀ ସହ ବହୁ ପ୍ରତିଷ୍ଠିତ ବ୍ୟବସାୟ କେନ୍ଦ୍ର ରହିଛି । ବ୍ୟାଙ୍କଛକ, ପୁରୁଣା ଫାଣ୍ଡିଛକ,ତାରିଣୀଛକ ,ମଙ୍ଗଳା ମାର୍କେଟ ଓ ଦୂର୍ଗାଛକ ସହ ମହେଶ୍ୱରପୁର ପଂଚାୟତର ଚାନ୍ଦପୁର ଓ ବମ୍ବେଛକ ରହିଛି । ଏହି ସ୍ଥାନକୁ ସକାଳ ଓ ସନ୍ଧ୍ୟାରେ ନାହିଁ ନ ଥିବା ଭିଡ ଜମି ଥାଏ । ଫଳରେ ସକାଳ ୯ଟାରୁ ୧୦ଟା ଓ ପୂର୍ବାହ୍ନ ୪ ବେଳେ ଭିଡ ଜମିବା ହେତୁ ସ୍କୁଲ କଲେଜରୁ ଫେରୁଥିବା ଛାତ୍ରଛାତ୍ରୀମାନେ ଘଂଟା ଘଂଟା ଜାମରେ ଫଶି ରହୁଛନ୍ତି । ଅନ୍ୟ ପକ୍ଷରେ ବ୍ୟବସାୟୀମାନେ ନିଜ ନିଜ ପ୍ରତିଷ୍ଠାନ ଗୁଡିକୁ ମୁଖ୍ୟ ରାସ୍ତାକୁ ବଢାଇ ଦେଇଥିବା ବେଳେ ଆସୁଥିବା ଗ୍ରାହକମାନେ ଜିନିଷ କିଣାକିଣି ସମୟରେ ଗାଡିଗୁଡିକୁ ରାସ୍ତା ଉପରେ ରଖିବାକୁ ବାଧ୍ୟ ହେଉଛନ୍ତି । ସେପଟେ କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜମିରେ ଘର ଓ ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରିଛନ୍ତି । ଅନ୍ୟ ପକ୍ଷରେ ମୁଖ୍ୟ କଂକ୍ରିଟ୍ ରାସ୍ତା ଉପରେ ଅସ୍ଥାୟୀ ପରିବା ବ୍ୟବସାୟୀ ମାନେ ପରିବା ମହଜୁଦ ରଖି ରାସ୍ତା ଉପରେ ଖୁଲମ ଖୁଲା ବ୍ୟବସାୟ ଚଳାଇ ଆସୁଛନ୍ତି । ଫଳରେ ଯାତାୟତ ସମୟରେ ମଧ୍ୟ ଆମ୍ବୁଲାନ୍ସ ଓ ବାଇକରେ ଯାଉଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହଉଛନ୍ତି । ସେପଟେ ଥାନାରେ ଆବଶ୍ୟକୀୟ କର୍ମଚାରୀ ଥାଇ ମଧ୍ୟ ବିଭିନ୍ନ ଛକମାନଙ୍କରେ ପାଟ୍ରୋଲିଂ କରାଯାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବେଆଇନ ଜବର ଦଖଲକୁ ନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ଜିଲା ପ୍ରଶାସନ ସ୍ୱତନ୍ତ୍ରଭାବେ ଏହି ଅଂଚଳ ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ନିକଟରେ ବ୍ରହ୍ମବରଦା ତାରିଣୀଛକଠାରୁ ମହେଶ୍ୱରପୁର ପଂଚାୟତ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଯାଇଥିବା ରାସ୍ତା କଡରେ ସରକାରୀ ଜମିକୁ ଚିହ୍ନଟ କରାଯାଇ ଜବର ଦଖଲ ଉଚ୍ଛେଦ ହେବ ବୋଲି ୫ମାସ ପୂର୍ବେ ରସୁଲପୁର ତହସିଲଦାର ସିଦ୍ଧାର୍ଥ କୁମାର ବେହେରା ତାଙ୍କ ପତିକ୍ରୀୟାରେ କହିଥିଲେ । ତାଙ୍କ ପ୍ରତିକ୍ରୀୟା ପାଣିର ଗାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏ ସମ୍ପର୍କରେ ଆଜି ପୁନଃର୍ବାର ତହସିଲଦାରଙ୍କ ସହ ଯୋଗଯୋଗ କରାଯାଇଥିଲା । ଏହି ଘଟଣାକୁ ନେଇ ସେ ବ୍ରହ୍ମବରଦା ଥାନା ସହ ଯୋଗାଯୋଗ କରି ତୁରନ୍ତ ଅସ୍ଥାୟୀ ପରିବା ବ୍ୟବସାୟୀଙ୍କୁ ଉଠା ଦିଆ ଯିବ ବୋଲି କହି ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ