
ନୂଆଦିଲ୍ଲୀ, ୨୨ ଡିସେମ୍ବର (ହି.ସ.)- କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅଜୟ କୁମାର ସୋମବାର ରେଳ ଯାତ୍ରୀ ଭଡାରେ କ୍ରମାଗତ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ଭଡା ୧୦୭ ପ୍ରତିଶତ ବୃଦ୍ଧି ପାଇଛି, ଯାହା ଫଳରେ ସାଧାରଣ ଲୋକଙ୍କ ପାଇଁ ଟ୍ରେନରେ ଯାତ୍ରା କରିବା କଷ୍ଟକର ହୋଇପଡିଛି ।
କଂଗ୍ରେସ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଅଜୟ କୁମାର କହିଛନ୍ତି ଯେ, ରେଳମନ୍ତ୍ରୀ ଦାବି କରୁଛନ୍ତି ଯେ ଭଡା ବୃଦ୍ଧି ଦ୍ୱାରା ରେଳବାଇ ପାଇଁ ୬୦୦ କୋଟି ଲାଭ ହେବ, କିନ୍ତୁ ଏହାର ସିଧାସଳଖ ବୋଝ ଯାତ୍ରୀମାନଙ୍କ ଉପରେ ପଡୁଛି । ମୋଦି ସରକାର ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଥିବା ରିହାତିକୁ ବାତିଲ୍ କରିଦେଇଛନ୍ତି ଏବଂ ଖାଦ୍ୟ ପ୍ଲେଟ୍, ଯାହା ୨୦୧୪ରେ ୩୦ ଟଙ୍କା ଥିଲା, ଏବେ ୧୨୦ ଟଙ୍କା ହୋଇଯାଇଛି ।
କଂଗ୍ରେସ ନେତା ଅଜୟ କୁମାର କହିଛନ୍ତି ଯେ, ଷ୍ଟେସନଗୁଡ଼ିକରେ କାର୍ ପାର୍କିଂ ପାଇଁ ଚାର୍ଜ ୩୦ ମିନିଟ୍ ପରେ ୫୦୦ ଆଦାୟ କରାଯାଉଛି । ଫେବୃଆରୀରେ ରେଳବାଇରେ ହୋଇଥିବା ଦଳାଚକଟା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ସେତେବେଳେ ୧୭୦୦ କ୍ଷମତା ବିଶିଷ୍ଟ କେବଳ ୧୭ଟି ସାଧାରଣ ଶ୍ରେଣୀ କୋଚ୍ ନିୟୋଜିତ ହୋଇଥିଲା, ଯେତେବେଳେକି ସରକାର ୯,୬୦୦ ଟିକେଟ୍ ବିକ୍ରି କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ