ବାରିପଦାରେ ଆଧୁନିକ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ ହେବ
ବିଶ୍ୱସ୍ତରୀୟ ସାର୍ବଜନୀନ ପରିବହନ ଢାଂଚା ପ୍ରତି ଓଡ଼ିଶା ସରକାର ପ୍ରତିବଦ୍ଧ – ମନ୍ତ୍ରୀ ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ଯାତ୍ରୀ ସୁବିଧା, ସହରୀୟ ଗତିଶୀଳତା ଓ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ବିମାନବନ୍ଦର ସଦୃଶ ସୁବିଧା ସହିତ ଏକ ଆଧୁନିକ “ଅଟଳ ବସ୍ ଷ୍ଟା
ବାରିପଦାରେ ଆଧୁନିକ ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ ହେବ


ବିଶ୍ୱସ୍ତରୀୟ ସାର୍ବଜନୀନ ପରିବହନ ଢାଂଚା ପ୍ରତି ଓଡ଼ିଶା ସରକାର ପ୍ରତିବଦ୍ଧ – ମନ୍ତ୍ରୀ

ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ଯାତ୍ରୀ ସୁବିଧା, ସହରୀୟ ଗତିଶୀଳତା ଓ ପର୍ଯ୍ୟଟନ ସମ୍ଭାବନାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ବିମାନବନ୍ଦର ସଦୃଶ ସୁବିଧା ସହିତ ଏକ ଆଧୁନିକ “ଅଟଳ ବସ୍ ଷ୍ଟାଣ୍ଡ” ନିର୍ମାଣ କରାଯିବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି।

ପ୍ରକଳ୍ପ ସମ୍ପର୍କରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରି ମନ୍ତ୍ରୀ କହିଥିଲେ ଯେ, ଏହି ବସ୍ ଟର୍ମିନାଲ୍ ଉତର ଓଡ଼ିଶାରେ ଏକ ମାଇଲସ୍େଟାନ୍ ସାର୍ବଜନୀନ ଢାଞ୍ଚା ପ୍ରକଳ୍ପ ଭାବେ ଉଭୟ ହେବ ଏବଂ ଆଧୁନିକ, ସମାବେଶୀ ଓ ସୁସ୍ଥାୟୀ ପରିବହନ ବ୍ୟବସ୍ଥା ଗଠନ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ସଙ୍କଳ୍ପକୁ ପ୍ରତିଫଳିତ କରିବ। ମନ୍ତ୍ରୀ ଡା. ମହାପାତ୍ର କହିଥିଲେ,“ବାରିପଦାକୁ ଏକ ମୁଖ୍ୟ ପରିବହନ କେନ୍ଦ୍ର ଭାବେ ଉନ୍ନତ କରାଯିବ। ଏହି ପ୍ରକଳ୍ପ ପାଇଁ ଧନର କୌଣସି ଅଭାବ ରହିବ ନାହିଁ। ସମସ୍ତ ସଂପୃକ୍ତ ବିଭାଗ ଆପସରେ ସମନ୍ୱୟ ରଖି ସମୟବଦ୍ଧ ଓ ଉଚ୍ଚ ଗୁଣମାନ ସହିତ ପ୍ରକଳ୍ପକୁ କାର୍ଯ୍ୟାନ୍ୱୟନ କରିବେ।”

ପ୍ରାୟ ୫ ଏକର ଜମିରେ ଏହି ଅଟଳ ବସ୍ ଷ୍ଟାଣ୍ଡ ନିର୍ମାଣ କରାଯିବ, ଯାହା ପୂର୍ବରୁ ଏହି ଉଦ୍ଦେଶ୍ୟ ପାଇଁ ଆବଂଟିତ ହୋଇଛି। ଯାତ୍ରୀ ସୁବିଧା, ସୁରକ୍ଷା, ସୁଲଭତା ଓ କାର୍ଯ୍ୟକ୍ଷମ ପରିଚାଳନାକୁ ପ୍ରାଥମିକତା ଦେଇ ଟର୍ମିନାଲ୍ ର ଡିଜାଇନ୍ କରାଯାଇଛି। ବୈଠକରେ ଓଏସଆରଟିସି ପକ୍ଷରୁ ପ୍ରସ୍ତୁତ ‘ଏ-କ୍ଲାସ୍‌’ ଯାତ୍ରୀମୁଖୀ ଡିଜାଇନ୍ ପ୍ରେଜେେଂଟସନ୍‌ର ବିସ୍ତୃତ ଆଲୋଚନା ହୋଇଥିଲା।

ପ୍ରସ୍ତାବିତ ଅଟଳ ବସ୍ ଷ୍ଟାଣ୍ଡର ପ୍ରମୁଖ ବିଶେଷତା:

ପ୍ରଶସ୍ତ ଓ ହାୱାଯୋଗ୍ୟ ପ୍ରତୀକ୍ଷା ହଲ୍‌, ପରିଷ୍କାର ଶୌଚାଳୟ, ଫୁଡ୍ କୋର୍ଟ, ଖୁଦ୍ର ବ୍ୟବସାୟ ସ୍ଥାନ ଓ ଦିବ୍ୟାଙ୍ଗ-ସହଜ ସୁବିଧା

ଡିଜିଟାଲ୍ ଯାତ୍ରୀ ସୂଚନା ପ୍ରଣାଳୀ, ସିସିଟିଭି ନିରୀକ୍ଷଣ, ୱାଇଫାଇ ସଂଯୋଗ, ମୋବାଇଲ୍ ଚାର୍ଜିଂ ପଏଂଟ ଓ ଶିଶୁ-ମିତ୍ର କ୍ଷେତ୍ର

ସୁଚାରୁ ପରିଚାଳନା, ରକ୍ଷାଣାବେକ୍ଷଣ ଓ ଫ୍ଲିଟ୍ ପରିଚାଳନା ପାଇଁ ଏକତ୍ରିତ ବସ୍ ଡିପୋ

ବର୍ଷାଜଳ ସଂରକ୍ଷଣ, ସୌର ଆଲୋକୀକରଣ ଓ ସବୁଜ ଖୋଲା ସ୍ଥାନ ସହିତ ପରିବେଶ-ମିତ୍ର ଢାଂଚା

ସଂପୃକ୍ତ ଢାଂଚା ଯୋଜନାର ସମୀକ୍ଷା ସମୟରେ ମନ୍ତ୍ରୀ ଜାତୀୟ ରାଜପଥ କର୍ତୃପକ୍ଷକୁ ନିର୍ଦ୍ଦେଶ ଦେଇଥିଲେ ଯେ, ପ୍ରସ୍ତାବିତ ଫ୍ଲାଇଓଭର୍ ନିର୍ମାଣ ଡିଜାଇନ୍ ଏପରି ହେବା ଦରକାର ଯାହା ଅଟଳ ବସ୍ ଷ୍ଟାଣ୍ଡ ଓ ବାରିପଦା ସହରର ଦୃଶ୍ୟମାନତା, ସୁଲଭତା ଓ ସ୍ଥାପତ୍ୟ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବ।

ପରିବେଶ ସୁରକ୍ଷା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ, ସଂପୃକ୍ତ ସହରାଂଚଳ ସ୍ଥାନୀୟ ସରକାର ପକ୍ଷରୁ ପ୍ରକଳ୍ପ ଅଂଚଳ ଓ ଆଖପାଖରେ ୬,୦୦୦ରୁ ଅଧିକ ଗଛ ରୋପଣ କରାଯିବ। ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ୧୦ ଏକର ଅଂଚଳରେ ସବୁଜୀକରଣ ପାଇଁ ଧନରାଶି ଆବଂଟନ କରାଯାଇଛି।

ବର୍ତମାନ ବାରିପଦା ସହର କେନ୍ଦ୍ରରେ ଅବସ୍ଥିତ ପୁରୁଣା ବସ୍ ଷ୍ଟାଣ୍ଡ ଅତ୍ୟଧିକ ଭିଡ଼ ଓ ଅପର୍ଯ୍ୟାପ୍ତ ଥିବାରୁ ଯାତାୟାତ ଜାମ୍ ଓ ଯାତ୍ରୀ ଅସୁବିଧା ସୃଷ୍ଟି କରୁଛି। ନୂତନ ବସ୍ ଟର୍ମିନାଲ୍ ସହର କେନ୍ଦ୍ରକୁ ଭିଡ଼ମୁକ୍ତ କରିବା ସହ ରାସ୍ତା ସୁରକ୍ଷା ଉନ୍ନତ କରିବ ଏବଂ ଭୁବନେଶ୍ୱର, ବାଲେଶ୍ୱର, କୋଲକାତା ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନକୁ ସଂଯୋଗ ସୁଦୃଢ଼ କରିବ। ଏହି ପ୍ରକଳ୍ପ ସିମିଳିପାଳ ଜାତୀୟ ଉଦ୍ୟାନ ଓ ପାର୍ଶ୍ୱବର୍ତୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଉତ୍ସାହ ଦେବ।

ଉନ୍ନତି ଭବନ, ଭୁବନେଶ୍ୱରରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଓଏସଆରଟିସି ଅତିରିକ୍ତ ସଚିବ-ସହ-ମହାପ୍ରବନ୍ଧକ ଶ୍ରୀ ଅରୁଣ ବିଶ୍ୱାଳ, ଏନଏଚଏଆଇର ବରିଷ୍ଠ ଅଧିକାରୀମାନେ ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଅଟଳ ବସ୍ ଷ୍ଟାଣ୍ଡ ପ୍ରକଳ୍ପ ଭୁବନେଶ୍ୱରର ଉନ୍ନତ ବାରମୁଣ୍ଡା ବସ୍ ଟର୍ମିନାଲ୍ ଆଦର୍ଶରେ ରାଜ୍ୟରେ ବିଶ୍ୱସ୍ତରୀୟ ବସ୍ ଟର୍ମିନାଲ୍ ଉନ୍ନୟନ ଭିଜନ୍ ସହ ସମନ୍ୱୟ ରଖିଥିବା ସହ ନାଗରିକ-କେନ୍ଦ୍ରିକ ଓ ଭବିଷ୍ୟତମୁଖୀ ସାର୍ବଜନୀନ ପରିବହନ ଢାଞ୍ଚା ପ୍ରଦାନ ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ସଙ୍କଳ୍ପକୁ ପ୍ରତିବିମ୍ବିତ କରେ।

..............)

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande