
ଜୟପୁର, ୨୩ ଡିସେମ୍ବର (ହି.ସ.) - ଯାତାୟତ ପାଇଁ ରାସ୍ତା ନାହିଁ । ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଉଛନ୍ତି ଲୋକେ । କେବଳ ଯେ ସେତିକି ନୁହଁ ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଏହି ଗାଁରେ ଆଜି ପର୍ଯ୍ୟନ୍ତ ପହଂଚି ନାହିଁ । ଏଠାରେ ସରକାରୀ ଯୋଜନା ସତେ ଯେମିତି ସାତ ସପନ । ସବୁ ସୁବିଧାରୁ ବଂଚିତ ହୋଇ ଗାଁ ଲୋକେ ଏକ ପ୍ରକାର ଅଭିଶପ୍ତ ଜୀବନ ଯାପନ କରୁଛନ୍ତି । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଚିପାକୁର ପଂଚାୟତ କାଉକୁଣ୍ଡ ଗାଁରେ ଏଭଳି ଦେଖିବାକୁ ମିଳିଛି ।
କାଉକୁଣ୍ଡ ଗାଁ ଲୋକଙ୍କ ଦୁଃଖ ଧର୍ମଗାଡ ପାହାଡି ନଦୀ । ଏଠାରେ ବିପଦ ସଂକୁଳ ଅବସ୍ଥାରେ ପାର ହେଉଛନ୍ତି ଲୋକେ । ଏଠାରେ ନଦୀ ପାର ପାଇଁ ଜୀବନ ବାଜିରେ ଲାଗୁଛି । ଛାତିଏ ପାଣିରେ ପ୍ରବେଶ କରି ନଦୀ ପାର ହେଉଛନ୍ତି ଗ୍ରାମବାସୀ । ମହିଳା ହେଉ କି ପୁରୁଷ ହେଉ କିଏ ତ କାଖରେ କୁନି ଛୁଆକୁ ଧରି ପାର ହେଉଛି, ଆଉ କିଏ ତ ମୁଣ୍ଡରେ ଜିନିଷ ଧରି ପାଣି ସୁଅ କାଟି ଆଗକୁ ବଢୁଛି । ଏ ଚିତ୍ର କେବଳ ଆଜି ଗୋଟିଏ ଦିନର ନୁହଁ, ଏଭଳି ଦୀର୍ଘ ବର୍ଷ ଧରି ଅସୁବିଧା ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ବର୍ଷା ଋତୁ ଆସିଲେ ଏମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ଏଠାରେ ଏମାନେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାନ୍ତି । କାରଣ ଗାଁ କୁ ଗୋଟିଏ ପଟେ ଜଙ୍ଗଲ ଅନ୍ୟ ପଟେ ନଦୀ ଘାରିରହିଛି । ତଥାପି ବାଧ୍ୟ ହୋଇ ନଦୀ ପାର ହେବାକୁ ପଡେ । ଏହି ଧର୍ମଗାଡ ନଦୀରେ ପାର ସମୟରେ ଗାଁ ୨ ଜଣ ଙ୍କ ଜୀବନ ଯାଇଛି । ଜରୁରୀ କାଳୀନ ପରିସ୍ଥିତିରେ ଗର୍ଭବତୀ କିମ୍ବା ରୋଗୀଙ୍କୁ ବୁହାହୁଏ । କାଉକୁଣ୍ଡ ଗାଁ କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ତ ନିର୍ମାଣ ହୋଇ ନଦୀ ପର୍ଯ୍ୟନ୍ତ ଯାଇଛି କିନ୍ତୁ ନଦୀରେ ପୋଲ ନିର୍ମାଣ ହୋଇ ପାରିନି । ଏଥିପାଇଁ ପୋଲ ପାଇଁ ଦାବୀ କରିଛନ୍ତି ଗାଁ ଲୋକେ । ନଦୀରେ ପୋଲ ନଥିବା ଯୋଗୁଁ ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ଗମନଗମ ସୁବିଧା ଗାଁ ରେ ପହଂଚି ନାହିଁ । ଗାଁରେ ଦୀର୍ଘ ବର୍ଷ ଧରି ୩୦ ରୁ ଉର୍ଦ୍ଧ୍ୱ କନ୍ଦ ପରିବାର ବସବାସ କରିଆସୁଛନ୍ତି । ହେଲେ ଦୁଃଖର କଥା ସେମାନଙ୍କ ପାଖେ ସରକାରୀ ଯୋଜନା ପହଂଚି ପାରିନାହିଁ । ଗାଁ ଲୋକେ ପାନୀୟ ଜଳ ପାଇଁ ନଦୀ ଉପରେ ଭରସା କରନ୍ତି । ରାତି ପାଇଲେ ଗାଁ ମହିଳା ଗରା ବାଲ୍ଟି ଧରି ପାଣି ପାଇଁ ନଦୀକୁ ବାହାରି ପୋଡ଼ନ୍ତି । ଗାଁ ରେ ନଳକୂଅ ଅଛି କିନ୍ତୁ ସେଥିରୁ ବାହାରୁଛି ଗଳିଆ ପାଣି । ଆଉ ଶିକ୍ଷା କଥା ନ କହିଲେ ଭଲ । ଗାଁ ରେ ଅଙ୍ଗନବାଡି କେନ୍ଦ୍ର ଗୃହ ଆର୍ôଥକ ବର୍ଷ ୨୦୧୫-୧୬ ଅନୁଯାଇ ନିର୍ମାଣ ଆରମ୍ବ ହୋଇଛି କିନ୍ତୁ ନିର୍ମାଣ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପାରୁନାହିଁ । ଯାଦା୍ୱରାକି ବାଧ୍ୟ ହୋଇ ଅଙ୍ଗନବାଡି ଦିଦିଙ୍କ ଘର ପିଣ୍ଢା ରେ ୧୩ ଜଣ ପିଲାଙ୍କୁ ନେଇ କେନ୍ଦ୍ର ଚଲାଉଛନ୍ତି । ସେହିପରି ଗାଁ ରେ ଥିବା ପଢା ପିଲାଙ୍କ ସଂଖ୍ୟା କମ ଯୋଗୁଁ ୨୦୧୯ ମସିହାରେ ବିଦ୍ୟାଳୟ ବନ୍ଦ କଲା ଶିକ୍ଷା ବିଭାଗ । ନିକଟରେ ୨ କିଲୋମିଟର ଦୂରରେ ଥିବା ବାଗଖଦ୍ରା ସ୍କୁଲ ସହ ଏହି କାଉକୁଣ୍ଡ ବିଦ୍ୟାଳୟକୁ ମୋର୍ଜ କରାଯାଇଛି । ଜଙ୍ଗଲ ରାସ୍ତା ଯୋଗୁଁ ଗାଁ ର ପିଲାଙ୍କୁ ବିଦ୍ୟାଳୟ ପଠାଉନାହାନ୍ତି ଅଭିଭାବକ । ଏବେ ଏହି ଗାଁ ର ପ୍ରାୟ ୧୭ ପିଲା ଡ୍ରପଆଉଟ ହୋଇ ଘରେ ରହି ଶିକ୍ଷାରୁ ବଂଚିତ ଅଛନ୍ତି ବୋଲି ଗାଁ ଲୋକେ କହିଛନ୍ତି । ଗାଁ ଲୋକଙ୍କ ଅଭିଯୋଗ ଅନୁଯାଇ ସରକାରୀ କର୍ମଚାରୀଙ୍କ ଗାଁ କୁ କେବେ ଆସନ୍ତି ନାହିଁ । କହିବାକୁ ଗଲେ ଏଠାରେ ସରକାରଙ୍କ ସମସ୍ତ ପ୍ରକାର ମୌଳିକ ସୁବିଧା ଶିକ୍ଷା,ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ , ଗମନଗମନ ଆଦି ସୁବିଧା ଅପହଂଚ । ଏନେଇ ଆମେ ସରପଂଚ ରାଜୁ ଖିଲଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ନଦୀଉପରେ ପୋଲ ନିର୍ମାଣ ହେଲେ କାଉକୁଣ୍ଡ ଗାଁ ର ଉନ୍ନତି ହେବ । ଗାଁ ରେ ସବୁ ସୁବିଧା ପହଂଚି ପାରିବ । ବ୍ରିଜ ପାଇଁ ବୈପାରୀଗୁଡା ବିଡ଼ିଓ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରାଯାଇଛି । ଅତି ଶୀଘ୍ର ବ୍ରିଜ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ମିଳିଛି କିନ୍ତୁ କାମ ଆରମ୍ଭ ହେଉନି । ଅନ୍ୟପଟେ ଗାଁ ର କୃପା ଖରା, ଲଷ୍ମଣ ଗୋଲରୀ ଖିଲ, ମାଣିକ ଖିଲ, ଦୋମତି ଖରା ପ୍ରମୁଖ ବ୍ରିଜ ନିର୍ମାଣ ପାଇଁ ଦାବୀ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି