ଚମ୍ପୁଆ ରେଞ୍ଜରେ ୫୨ ହାତୀଙ୍କ ଉତ୍ପାତ
ଚମ୍ପୁଆ, ୨୩ ଡିସେମ୍ବର (ହି.ସ.)- ଚମ୍ପୁଆ ରେଞ୍ଜରେ ୫୨ ହାତୀଙ୍କ ଉତ୍ପାତ ଜାରି ରହିଛି । ଏହି ହାତୀ ପଲ ସନ୍ଧ୍ୟାହେଲେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଉତ୍ପାତ ଜାରି ରଖିଛନ୍ତି । ଯିବା ଆସିବା ସମୟରେ ବିଭିନ୍ନ ଲୋକଙ୍କ ଘରଦ୍ୱାର ଭାଙ୍ଗି ଧାନ, ଚାଉଳ ଖାଇବା ସହିତ ବାଡି ବଗିଚାରେ ଥିବା ପନିପରିବା ଖାଇଯାଉ
ଚମ୍ପୁଆ ରେଞ୍ଜରେ ୫୨ ହାତୀଙ୍କ ଉତ୍ପାତ


ଚମ୍ପୁଆ, ୨୩ ଡିସେମ୍ବର (ହି.ସ.)- ଚମ୍ପୁଆ ରେଞ୍ଜରେ ୫୨ ହାତୀଙ୍କ ଉତ୍ପାତ ଜାରି ରହିଛି । ଏହି ହାତୀ ପଲ ସନ୍ଧ୍ୟାହେଲେ ବିଭିନ୍ନ ଭାଗରେ ବିଭକ୍ତ ହୋଇ ଉତ୍ପାତ ଜାରି ରଖିଛନ୍ତି । ଯିବା ଆସିବା ସମୟରେ ବିଭିନ୍ନ ଲୋକଙ୍କ ଘରଦ୍ୱାର ଭାଙ୍ଗି ଧାନ, ଚାଉଳ ଖାଇବା ସହିତ ବାଡି ବଗିଚାରେ ଥିବା ପନିପରିବା ଖାଇଯାଉଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଚମ୍ପୁଆ ରେଞ୍ଜରେ ଏବେ ୫୨ ହାତୀ ଉତ୍ପାତ ଜାରି ରଖିଛନ୍ତି। ପୂର୍ବରୁ ୩୩ ହାତୀ ରହିଥିବା ବେଳେ ଗତକାଲି ମୟୁରଭଞ୍ଜରୁ ଲେଉଟିଛନ୍ତି ୧୯ ହାତୀ। ହାତୀପଲ ଚାରି ଭାଗରେ ବିଭକ୍ତ ହୋଇ ବ୍ୟାପକ କ୍ଷୟକ୍ଷତି କରୁଥିବାରୁ ଏହାକୁ ନେଇ ଲୋକେ ଚିନ୍ତାରେ ଅଛନ୍ତି । ଚମ୍ପୁଆ ରେଞ୍ଜର ଚମ୍ପୁଆ ସେକ୍ସନର ମୁକୁନ୍ଦପୁର ଠାରେ ୧୩ ଟିକିଆ ହାତୀପଲ ଦୀର୍ଘ ଦୁଇ ମାସରୁ ଅଧିକ ହେବ ବ୍ୟାପକ କ୍ଷୟକ୍ଷତି କରୁଥିବା ଜଣାପଡିଛି । ଏହି ହାତୀପଲରୁ ତିନୋଟି ହାତୀ ଗୋଠଛଡା ହେଇ ଗତ ରାତିରେ ଅଡଙ୍ଗାପାଳ ଗାଁ ଭିତରକୁ ପଶି ଆସିଥିଲେ। ଯାହାକୁ ନେଇ ଗାଁ ରେ ହଇଚଇ ସୃଷ୍ଟି ହୋଇଥିଲା। ଯଦିଓ ହାତୀ ଗାଁ ରେ କୈଣସି କ୍ଷୟକ୍ଷତି କରିନାହାନ୍ତି ହାତୀଙ୍କୁ ନେଇ ଗାଁ ଲୋକ ଚିନ୍ତାରେ ଅଛନ୍ତି । ପୂର୍ବଦିନ ରାତିରେ ଏହି ହାତୀପଲ ମଂଗଳପୁର ଗାଁ ରେ ବ୍ୟାପକ ଆଖୁ ଚାଷ ଉଜାଡିଥିଲେ । ସେହିପରି ଯୋଡା ସେକ୍ସନର ବନ୍ଧୁଆବେଡା ଗାଁରେ ୬ ଟିକିଆ ହାତୀପଲ ଉତ୍ପାତ ଜାରି ରଖିଥିବା ଜଣାପଡିଛି । ବାଲିବନ୍ଧ ସେକ୍ସନର ଚମକପୁର ଗାଁ ଜଙ୍ଗଲରେ ଥିବା ୧୪ ଟିକିଆ ହାତୀ ପଲ ଦୀର୍ଘ ଦିନହେବ ଆଖପାଖ ଗାଁ ଲେlକଙ୍କ ନିଦ ହଜାଇ ସାରିଛନ୍ତି । ଅନ୍ୟପଟେ ଗତ ଦୁଇସପ୍ତାହ ତଳେ ଉଖୁଣ୍ଡା ସେକ୍ସନରୁ ମୟୁରଭଞ୍ଜକୁ ଚାଲି ଯାଇଥିଲେ । ତେବେ ୧୯ ଟିକିଆ ହାତୀପଲ ଗତରାତିରେ ବୈତରଣୀ ନଦୀ ପାର କରି ପୁଣି ଲେଉଟି ଆସିଥିବା ଜଣାପଡିଛି । ଆସିଲାବେଳେ ଏହି ହାତୀପଲ ରରୁଆଁଗୋଡା ଗାଁରେ ବ୍ୟାପକ ପନିପରିବା ଫସଲ ନଷ୍ଟ କରିଛନ୍ତି । ହାତୀ ଗୁଡିକ ଆଜି ସକାଳୁ ରରୁଆଁଗୋଡା ଗାଁ ଜଙ୍ଗଲରେ ଥିବା ଜଣାପଡିଛି । ଚମ୍ପୁଆ ରେଞ୍ଜରେ ଥିବା ହାତୀଗୁଡିକ ଦିନବେଳା ବିଭିନ୍ନ ଜଙ୍ଗଲରେ ରହି ସଂନ୍ଧ୍ୟାହେଲା ମାତ୍ରେ ଗାଁ ମୁହାଁ ହେଉଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ବନ ବିଭାଗ ହାତୀପଲ ଉପରେ ନଜର ରଖିଥିବା କହୁଥିବା ବେଳେ ହାତୀଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande