
ନୂଆପଡ଼ା, ୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଫରସରା ପଂଚାୟତର ବୁଢ଼ୀ ପଦର ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତହୋଇଯାଇଛି । ଏଥି ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗାଁରେ ପହଂଚିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍ , ବିଡ଼ିଓ ସୁଶାନ୍ତ କୁମାର ରଣା, ଅତିରିକ୍ତ ତହସିଲଦାର ଅନସୁୟା ବାଗଦେବି, ଫରସରା ସରପଂଚ ସରିତା ନିଆଲ ପ୍ରମୂଖ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ବୁଢ଼ୀ ପଦର ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା । ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ନବଜାତକ ଶିଶୁ କନ୍ୟା ସ୍ନେହାଞ୍ଜଳି ମାଝୀ ଓ ତାର ପିତାମାତାଙ୍କୁ ସମାରୋହରେ ଜିଲ୍ଲାପାଳ ଉପହାର ଓ ବୃକ୍ଷ ରୋପଣ ପାଇଁ ଚାରା ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର?୍ୟ୍ୟକ୍ରମରେ ଗାଁର ତିନି ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଅତିଥିମାନେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ । ଏହାପରେ ଶ୍ରମିକ ସଚେତନତା ଶିବିରରେ ଅତିଥି ମାନେ ଗାଁ ବାସୀ ମାନଙ୍କୁ ମନରେଗା ଯୋଜନାରେ କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆହ୍ୱାନ ଦେଇଥିଲେ । ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭାଗର କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ବୁଝାଇଥିଲେ । ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଗାଁର କୌଣସି ବି ପୁରୁଷ କିମ୍ବା ମହିଳା ଭୁଲ୍ ରେ ବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇ ହଇରାଣ ହରକତ ହୁଅନ୍ତୁ ନାହିଁ । ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ । ଚାଷୀ ଭାଇ ଭଉଣୀ ମାନେ ଉନ୍ନତପ୍ରଣାଳୀରେ ଚାଷ କରନ୍ତୁ । ଆମେ ସମସ୍ତେ ମିଶି ଫରସରା ପଂଚାୟତକୁ ପ୍ରବାସୀ ଶ୍ରମିକ ଓ ପ୍ଲାଷ୍ଟିକ୍ ମୁକ୍ତ କରି ପାରିବା ବୋଲି କହିଥିଲେ । ସଭାରେ ୧୧ ଜଣ ଶ୍ରମିକଙ୍କୁ ବିଭିନ୍ନ ବ୍ୟକ୍ତିଗତ ପ୍ରକଳ୍ପ ପାଇଁ କାର୍ଯ୍ୟ।।ଦେଶ ଓ ଶ୍ରମ ବିଭାଗ ଦ୍ୱାରା ହିତାଧିକାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶିର ଚେକ୍ ପ୍ରଦାନ କରାଗଲା। କାର୍ଯ୍ୟକ୍ରମକୁ ବି ଡି ଓ ସୁଶାନ୍ତ କୁମାର ରଣା ପରିଚାଳନା କରିଥିଲେ । ମୀନାଙ୍କ ନେତୃତ୍ୱରେ ରାମକାଠି ଦଳ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ସଚେତନତା ନୃତ୍ୟ ପରିବେଷଣ କରି ଥିଲେ । ସ୍ଥାନୀୟ ସରପଂଚ ସରିତା ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଖରୀଆର ରେଞ୍ଜର ସୀତାରାମ ଶବର, ଫରେଷ୍ଟର ଖଗେଶ୍ୱର ମାଝୀ ଓ ବନ କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ବୃକ୍ଷରୋପଣ ଓ ପକ୍ଷୀ ପାଇଁ ଦିନ ଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନ୍ୟମାନେ ସାମିଲ ଥିଲେ । ସମାରୋହକୁ ବୋଡ଼େନ ବିଡ଼ିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଏସ ଗୀତା, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ, ସରପଂଚ ପ୍ରମୁଖ ଆୟୋଜନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ